ଓ.ଏମ.ସି ଏମ.ଡିଙ୍କ ଫେରୋକ୍ରୋମ କାରଖାନା କର୍ମଚାରୀଙ୍କୁ ଦୀପାବଳୀ ଭେଟି, ୫ଟଙ୍କା ମିଲକୁ କଲେ ୩୦ଟଙ୍କା, ୨୭ଜଣ କର୍ମଚାରୀଙ୍କୁ କରିବେ ବିଦା
ବ୍ୟାସନଗର, ୧୯/୧୦: ଯାଜପୁରରୋଡ ସ୍ଥିତ ‘ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍’ କାରଖାନାରେ ଥିବା କ୍ୟାଂଟିନରେ ଆଜି ଠାରୁ ୦୫ଟଙ୍କାରେ ଦିଆଯାଉଥିବା ମିଲ ବୁଧବାରକୁ ଛାଡି ୩୦ ଟଙ୍କା କରାଯାଇଛି । ବୁଧବାର ଦିନ ଅଣ୍ଡା ମିଲ ଦିଆଯିବ ଓ ଏହାର ମୂଲ୍ୟ ୫ ଟଙ୍କାରୁ ୪୦ଟଙ୍କାକୁ ବୃଦ୍ଧି କରାଯାଇଛି । ଓ.ଏମ.ସି ଏମ.ଡି ବଲବନ୍ତ ସିଂହଙ୍କ ଏହି ଆଦେଶକୁ କେତେକ ଆଗାମୀ ଦୀପାବଳି ଭେଟି ବୋଲି ବିଦ୍ରୂପ କରି କହିଛନ୍ତି । କାରଖାନାର କ୍ୟାଟିଂନଟି ରିହାତି (ସବ୍ସିଡ଼) ମୂଲ୍ୟରେ ୮୦ପଇସାରେ ବହୁ ବର୍ଷ ମିଲ ଦେଇଆସୁଥିଲା । କିଛି ବର୍ଷ ପରେ ଏହା ୦୧ ଟଙ୍କା ଓ ପରେ ୦୨ଟଙ୍କାକୁ ବୃଦ୍ଧି କରାଯାଇଥିଲା । ୦୭-୦୮ ବର୍ଷ ତଳେ ଏହା ପୁଣି ୦୫ଟଙ୍କାକୁ ବୃଦ୍ଧି ପାଇଥିଲା । ଏହା ଆଜି ଠାରୁ ଅଚାନକ ଅହେତୁକ ଭାବେ ବଢ଼ାଯାଇ ୦୫ଟଙ୍କାରୁ ୩୦ଟଙ୍କା ଓ ବୁଧବାର ୪୦ଟଙ୍କାକୁ ବୃଦ୍ଧି କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଖାନାର କର୍ମଚାରୀ ଓ ଶ୍ରମିକ ସଂଖ୍ୟା କାଳକ୍ରମେ କମି କମି ଆସି ୧୦୦ ମଧ୍ୟରେ ଥିବା ବେଳେ ୧୦୦ରୁ କମ ଲୋକ ଏହି କ୍ୟାଂଟିନରେ ଖାଊଥିଲେ । ହେଲେ ଆଜି ଠାରୁ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହେବା ପରେ ମାତ୍ର ଆଜି ୧୩ଟି ମିଲ ଖିଆଯାଇଥିବାର ଜଣାଯାଇଛି । ସେହିପରି ସକାଳ ଜଳଖିଆର ମୂଲ୍ୟ ୦୨ ଟଙ୍କାରୁ ୦୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି ୧୪ ଜଣ ସକାଳ ଜଳଖିଆ ଖାଇଥିବାର ଜଣାଯାଇଛି । ଖଟିଖିଆ, ସ୍ୱଳ୍ପ ଦରମାରେ କାମ କରୁଥିବା କର୍ମଚାରୀମାନେ ଏହି କ୍ୟାଂଟିନ ଉପରେ ନିର୍ଭର କରୁଥିବା ବେଳେ ଏମ.ଡି ମହାଶୟଙ୍କ ଏପରି ନିଷ୍ପତି ସେମାନଙ୍କ ଉପରେ ଚଡ଼କ ପକାଇଛି । ଏହାଛଡ଼ା ଯେଉଁମାନେ ଥଇଥାନ ଭିତିରେ ସେମାନଙ୍କ ପିତା/ମାତାଙ୍କ ମୃତ୍ୟୁ ପରେ କାରଖାନାରେ ଠିକା ନିଯୁକ୍ତି ପାଇଥିଲେ ସେମାନଙ୍କୁ ଏମ.ଡି ମହାଶୟଙ୍କ ନିଷ୍ପତି ବଳରେ ଆଗାମୀ ୩୧/୧୦/୨୦୨୨ରୁ କାମରୁ ବିଦା କରାଯିବ । ଫଳରେ କାରଖାନାରେ ନିଜ ସଂର୍ପକୀୟଙ୍କ ମୃତ୍ୟୁ ପରେ କାରଖାନାରେ କାମ କରି ପେଟ ପୋଷୁଥିବା ୨୭ଜଣ କର୍ମଚାରୀ କାମ ହରାଇବାର ମ୍ରିୟମାଣରେ ଭାଙ୍ଗି ପଡ଼ିଛନ୍ତି । କାରଖାନାଟି ଓ.ଏମ.ସି ହାତକୁ ଗଲା ପରେ ଉନ୍ନତି ବଦଳରେ ଶୋଚନୀୟ ଆଡକୁ ବରଂ ଅଗ୍ରସର ହୋଇ ଚାଲିଛି । ପରିଚାଳନା ନିର୍ଦ୍ଦେଶକଙ୍କ ଏପରି ଶ୍ରମିକ ଓ କର୍ମଚାରୀମାରଣ ନୀତିକୁ ସାମାଜିକ କର୍ମୀ ତଥା କାରଖାନାର ପୂର୍ବତନ ଶ୍ରମିକ ନେତା ବିଦ୍ରୂପ କରି କହିଛନ୍ତି ଯେ ଏହା ତାଙ୍କର ଦୀପାବଳୀ ଭେଟି । ପୁନଶ୍ଚ, ଆଜି ଜଣେ ଆଇ.ଏ.ଏସ ଅଧିକାରୀ ତଥା ଶ୍ରମ କମିଶନର ଶ୍ରମିକମାନଙ୍କ ଦୈନିକ ମଜୁରୀ ୭ଟଙ୍କା ବୃଦ୍ଧି କରି ସେମାନଙ୍କ ମନରେ ହସ ଭରିଥିବା ବେଳେ ଆଉ ଜଣେ ଆଇ.ଏ.ଏସ ଅଧିକାରୀ ତଥା ଓ.ଏମ.ସିର ଏମ.ଡି ଶ୍ରମିକମାନଙ୍କ ଭାତରେ ନାତ ମାରିଛନ୍ତି । ରାଜ୍ୟ ସରକାର ଲୋକଙ୍କ ପାଇଁ ୦୧ଟଙ୍କାରେ ଆଧାର ଯୋଜନାରେ ଖାଦ୍ୟ ବ୍ୟବସ୍ଥା କରି ଶ୍ରମଜୀବୀ, ଖଟିଖିଆ ଆଦିଙ୍କ ପେଟକୁ ଦେଖୁଥିବା ବେଳେ ଓ.ଏମ.ସିର ଏମ.ଡିଙ୍କ ଏପରି ନିଷ୍ୱତି ଦୁର୍ଭାଗ୍ୟଜନକ । କମ୍ପାନୀ କା ମାଲ ଦରିଆ ମେ ଡାଲ ନୀତିରେ କୋଟି କୋଟି ଟଙ୍କାର ଦୁର୍ନୀତିର ଖୋଳତାଡ଼ ନ କରି ମାତ୍ର କେଇଟା ଟଙ୍କା ରୋକିବା ବାହାନାରେ ଶ୍ରମିକଙ୍କ ପେଟକୁ ନାତ ମାରିବା ଅମୂଳକ ବୋଲି ସେ କହିଛନ୍ତି ।