
ଲଗାଣ ବର୍ଷାରେ ଯାଜପୁର ବେହାଲ, ବନ୍ୟା ପ୍ରତିକାର ପାଇଁ ଯାଜପୁର ବିଧାୟକଙ୍କ ଉଦ୍ୟମ ଜାରୀ
ଯାଜପୁର, ୧୬/୦୮(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଚୀର ବନ୍ୟା ପ୍ରପୀଡ଼ିତ ଯାଜପୁର ଜିଲ୍ଲାର ବହୁ ଅଂଚଳ । ଯାଜପୁର, ବରୀ, ଧର୍ମଶାଳା, ବଡ଼ଚଣା, ଦଶରଥପୁର, ବିଝାଂରପୁର, କୋରେଇ, ରସୁଲପୁର, ଦାନଗଦି ଆଦି ଅଂଚଳ ବନ୍ୟା ପ୍ରଭାବିତ ବୋଲି ସମସ୍ତେ ଜାଣନ୍ତି । ହେଲେ ଏହି ପୁରୁଣା ସମସ୍ୟାର ସମାଧାନ କେବେ ହେବ ଓ କିପରି ହେବ ଏହି ଉତର ଖୋଜି ଖୋଜି ପାଉନାହାନ୍ତି ଅନେକ! ହେଲେ ରାଜ୍ୟ ସରକାର ବହୁ ଅର୍ଥ ଖର୍ଚ୍ଚ କରି ବନ୍ୟା ସମସ୍ୟାକୁ ଯଥାସମ୍ଭବ କମ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଜଳସେଚନ ବିଭାଗ ଅଧିକାଂଶ ସ୍ଥଳେ ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ଠାରୁ ଦୂରରେ ରହିଯାଉଛି । ବହୁ ସ୍ଥାନରେ ନିମ୍ନମାନର କାମ ହେଉଛି ତ ବହୁ ସ୍ଥାନରେ ବନ୍ୟା ଆସିଲେ ପ୍ରତିକାର କଥା ମନେ ପଡ଼ିବା ଢ଼ଙ୍ଗରେ ‘ବିଭା ଘର ବେଳେ ବାଇଗଣ ରୁଆ’ ଭଳି କାମ ହେଉଛି । ଏପରି ସ୍ଥିତିରେ ଧନ୍ୟବାଦର ପାତ୍ର ହେଉଛନ୍ତି ବନ୍ୟା ଦୁର୍ଗତମାନେ । ସରକାରଙ୍କ ହାତ ଟେକା କିଛି ସହାୟତା ପରିବର୍ତେ ନିଜେ କିପରି ପ୍ରତିବର୍ଷର ଏହି ସମସ୍ୟାରୁ ବର୍ତିବେ, ଗୃହପାଳିତ ପଶୁପକ୍ଷୀ ଆଦିଙ୍କୁ ବଂଚାଇବେ ଓ ପରବର୍ତୀ ସମୟରେ ଫସଲ ଓ ଧନ୍ଦା କରି ପରିବାର ପ୍ରତିପୋଷଣ କରିବେ ସେହି କୈାଶଳ ଓ ସାହାସ ଅଧିକାଂଶଙ୍କୁ ଜଣାଥିବାରୁ ବନ୍ୟା ପ୍ଲାବିତ ବହୁ ଜନସାଧାରଣ ଆସନ୍ନ ବିପଦକୁ ପ୍ରାୟତଃ ଟାଳିଥାନ୍ତି । ଅପରପକ୍ଷରେ ଧନ ଜୀବନ ସୁରକ୍ଷା ପାଇଁ ଓ ବନ୍ୟା ଦୁର୍ଗତମାନେ କିପରି ଆଉ ସମସ୍ୟାରେ ପଡିବେ ନାହିଁ ସେଥିଲାଗି ବନ୍ୟା ରୋକିବାର ଲକ୍ଷ୍ୟ ରଖି ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇି ଚାଲିଛି । ହେଲେ ଲୋକେ ଯେଉଁ ସମସ୍ୟା ଭୋଗୁଥିଲେ ସେହି ସମସ୍ୟା ଭୋଗିବା ହିଁ ସାର ହେଉଛି । ଗତ ୧୦-୧୨ ଦିନର ଲଘୁଚାପ/ଅବପାତ ଜନିତ ବର୍ଷାରେ ସମଗ୍ର ଜିଲ୍ଲାର ଅଧିକାଂଶ ଅଂଚଳ ପ୍ରଭାବିତ ହୋଇଥିବା ବେଳେ ବହୁ ନଦୀରେ ଏବେ ବନ୍ୟା ଆସିଛି । ଆଉ କେଇ ଫୁଟ ବନ୍ୟା ଜଳ ବଢ଼ିଗଲେ ଅବସ୍ଥା ସାଂଘାତିକ ହେବାର ଆଶଙ୍କା ପ୍ରକାଶ ପାଇଛି । ନଦୀବନ୍ଧର ଏକାଧିକ ସ୍ଥାନରେ ଘାଇ ଭାଙ୍ଗିବା, ଦୁର୍ବଳ ନଦୀ ବନ୍ଧ ଧୋଇଯିବା, ଚାଷ ଜମିରେ ବାଲି ମାଡିଯିବା ଭଳି ଆଶଙ୍କା ମଧ୍ୟ ଦେଖାଦେଇଛି ।
ସୂଚନାଯୋଗ୍ୟ, ଯାଜପୁର ନିର୍ବାଚନୀ ମଣ୍ଡଳୀ ଅର୍ନ୍ତଗତ ବିଭିନ୍ନ ଅଂଚଳରେ ଚଳିତ ଲଗାଣ ବର୍ଷା ବହୁ କ୍ଷୟକ୍ଷତି କରିଛି । ଲୋକଙ୍କ ଆବେଗ ସହ ରହିଥିବା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରାକୃତିକ ବିପତି ସମୟରେ ସଦାସର୍ବଦା । ଲୋକଙ୍କର ବିପଦର ବନ୍ଧୁ ପାଲଟି ସହାୟତାର ହାତ ବଢ଼ାଇଥାନ୍ତି । ତାଙ୍କ ନିର୍ବାଚନୀ ମଣ୍ଡଳୀ ଅର୍ନ୍ତଗତ ଯାଜପୁର ଓ ଦଶରଥପୁର ବ୍ଲକର ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ହେବାର ଆଶଙ୍କା ଥିବାରୁ ଓ ଦୁର୍ବଳ ନଦୀବନ୍ଧର ତୁରନ୍ତ ମରାମତି ଉପରେ ସେ ଚଣ୍ଡିଖୋଲ ସ୍ଥିତ ଜଳସେଚନ ବିଭାଗର ସହକାରୀ ମୁଖ୍ୟ ଯନ୍ତ୍ରୀ ଇଂ. ଧନେଶ୍ୱର ସାମଲଙ୍କ ସହ ଆଲୋଚନା କରି ଅବସ୍ଥା ଉପରେ ନଜର ରଖିଛନ୍ତି । ମହାନଦୀର ଶାଖା ନଦୀ ଗେଙ୍ଗୁଟି, ବିରୂପା ଆଜି ଅଧିକ ବଢ଼ୁଛି । ବୈତରଣୀ, ବୂଢ଼ା, ଖରସ୍ରୋତା, ବ୍ରାହ୍ମଣୀ ଆଦି ନଦୀର ଆସନ୍ନ ବନ୍ୟା ପରିସ୍ଥିତି ଉପରେ ଆକଳନ ମଧ୍ୟ କରିଛନ୍ତି ବିଧାୟକ ଶ୍ରୀଯୁକ୍ତ ଦାସ ।