ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶାତ୍ମବୋଧକ କବିତା ଆସର
ବ୍ୟାସନଗର, ୧୬/୦୮ (ନି ପ୍ର ) : ସ୍ୱଧୀନତାର ୭୫ ବର୍ଷ ପୁର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏକ ଦେଶାତ୍ମବୋଧକ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ସ୍ୱଧୀନତା ଦିବସ ଉପଲେକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସୋମବାର ଅପରାହ୍ନରେ ମହାବିଦ୍ୟାଳୟର ଅଡିତୋରିୟମ୍ ରେ ବ୍ୟାସନଗର ଓ କୋରେଇ ଅଞ୍ଚଳର ବିଶିଷ୍ଟ କବିମାନଙ୍କୁ ନେଇ ଏହି ଆସରର ଆୟୋଜନ କରା ଯାଇଥିଲା । ଦେଶ ସ୍ୱଧୀନତା ସଂଗ୍ରାମର ଇତିହାସ, ସଂଗ୍ରାମୀ, ବୀରତ୍ୱ ଓ ବଳିଦାନର କାହାଣୀକୁ କବିମାନେ ସେମାନଙ୍କର ସ୍ୱରଚିତ କବିତା ମାଧ୍ୟମରେ ଆବୃତି କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ୟାସନଗର ସ୍ୱୟଂଶାସିତ ମହାବିଦୟାଳୟର ଅଧ୍ୟକ୍ଷ କୁଶ ଚନ୍ଦ୍ର ପ୍ରଧାନ ଏହି ଆସରକୁ ଉଦଘାଟନ କରିବା ସହ ଓଡିଶା ସାହିତ୍ୟ ଏକାଡେମୀ ର ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରସଂଶା କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବି, ଶିକ୍ଷାବିତ୍ , ତଥା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ପଣ୍ଡିତ ଡ. ସୂର୍ଯ୍ୟମଣି ଖୁଣ୍ଟିଆ, ପ୍ରାଧ୍ୟାପକ ଶିବ ଚରଣ ମାଝି, ଅଧ୍ୟାପିକା ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ଏବଂ ଜିଲ୍ଲା ସଂଯୋଜକ ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଯୋଗଦେଇ କବିତା ଆବୃତି ସହ ଆଜିର ଦିବସର ମହନିୟତା ଉପରେ ଆଲୋକପାତ କରିଥିଲେ । ଉକ୍ତ ଉତ୍ସବର ଆୟୋଜକ ତଥା ଓଡିଶା ସାହିତ୍ୟ ଏକାଡେମୀର ଯାଜପୁର ଜିଲ୍ଲା ସଦସ୍ୟା ରୀତାରାଣୀ ନାୟକ ପ୍ରାରମ୍ଭରେ ସମସ୍ତ କବି ମାନଙ୍କୁ ସ୍ୱାଗତ କରିବା ସହ ଆସର ପରିଚାଳନା କରିଥିଲେ । ପୂର୍ବରୁ ସାହିତ୍ୟ ଏକାଡେମୀ ଦ୍ୱାରା ସ୍ଥିରିକୃତ ୨୦ ଜଣ କବିଙ୍କୁ ଏକାଡେମୀ ପ୍ରଦତ୍ତ ଉପଢୌକନ ଓ ୫୦୦ ଟଙ୍କାର ପାରିତୋଷିକ ପ୍ରଦାନ କରା ଯାଇଥିଲା । ଶେଷରେ କବି ମହେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉ କି ଏହିପରି ଭାବେ ଯା୍ଜପୁର ଜିଲ୍ଲାରେ ୫ ଗୋଟି ଜୋନ ଯଥା ମଙ୍ଗଳପୁର, ଧର୍ମଶାଳା, ରତ୍ନଗିରୀ, ସୁକିନ୍ଦା ଓ ବ୍ୟାସନଗର ସମେତ ପ୍ରତି ଜୋନରୁ ୨୦ ଜଣ କବିଙ୍କୁ ନେଇ ୨୫ ଗୋଟି ଜିଲ୍ଲାରେ ଦେଶାତ୍ମବୋଧକ କବିତା ଆସର ଆୟୋଜନ କରା ଯାଇଥିଲା ।