କେନ୍ଦ୍ରୀୟ ଯୋଜନା ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଭାସି ଭାବ ବିନିମୟ
ଯାଜପୁର, ୩୧.୫(ଉ.ନ୍ୟୁଜ୍ ବ୍ୟୁରୋ): କେନ୍ଦ୍ର ସରକାର ବିଗତ ୮ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେସବୁ ଯୋଜନା ଗୁଡ଼ିକର ସଫଳତା କୋଟି କୋଟି ଜନତାଙ୍କ ନିକଟରେ ପହଞ୍ଚି ପାରିଛି । ଏହି ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ କୁଶଳତାର ସହିତ ନିଜର ଲକ୍ଷ୍ୟ ହାସଲ କରିଛନ୍ତି । ଯାହା ବର୍ତ୍ତମାନ ଶତ ପ୍ରତିଶତ ପରିପୂର୍ଣ୍ଣତା ହାସଲ କରିବାରେ ସମୟ ଆସିଛି । ଆଜି ମଙ୍ଗଳବାର ପୁର୍ବାହ୍ନରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଞ୍ଚଳ ପ୍ରଦେଶ, ସିମ୍ଲା ଠାରେ ଆୟୋଜିତ ଗରୀବ କଲ୍ୟାଣ ସମ୍ମିଳନୀରେ ଅଂଶ ଗ୍ରହଣ କରି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାମାଜିକ ଓ ଆର୍ଥୀକ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଭାସୀ ମାଧ୍ୟମରେ ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମ ସିମ୍ଲା ଠାରେ ହେଲେ ମଧ୍ୟ ସମଗ୍ର ଭାରତର ଜନସାଧାରଣଙ୍କ ପାଇଁ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବଟନ୍ ଦବାଇ ଭାରତର ୧୦କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅଧିନରେ ଏକାଦଶ କିସ୍ତି ଭାବରେ ୨୧ହଜାର କୋଟି ଟଙ୍କା ସ୍ତାନାନ୍ତର କରିଛନ୍ତି । ଗତକାଲି ମଧ୍ୟ କୋଭିଡ଼୍ ମୃତ୍ୟୁ ଜନିତ ଦେଶରେ ଅନାଥ ଶିଶୁ ମାନଙ୍କ ଭବିଷ୍ୟତ ପାଇଁ ସେମାନଙ୍କୁ ଭାରତ ସରକାରଙ୍କ ପିଏମ୍ କେୟାରର୍ସ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଯତ୍ନ, ଶିକ୍ଷା ଓ ସୁରକ୍ଷା ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ସମାଜର ଅନ୍ତିମ ବ୍ୟକ୍ତିଙ୍କର ସର୍ବାଙ୍ଗିନ ବିକାଶ ପାଇଁ ପକ୍କା ଆବାସ ଯୋଜନା, ଉଜ୍ୱଳା ଯୋଜନାରେ ମାଗଣା ଏଲ୍ପିଜି ସଂଯୋଗ, ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ଼ ଯୋଜନାରେ ୭୭କୋଟି ହିତାଧିକାରୀ ଆଜି ଭାରତର ଯେ କୈାଣସି ସ୍ଥାନରେ ଖାଦ୍ୟ ଶସ୍ୟ ପାଇପାରୁଛନ୍ତି । ସେହିପରି କୋଭିଡ଼ ସମୟରେ ୮୦କୋଟିରୁ ଉଦ୍ଦ୍ୱର୍ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ ମାଗଣାରେ ଖାଦ୍ୟଶସ୍ୟ ପାଇଛନ୍ତି । ଆୟୁସ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୩.୪୪କୋଟି ପରିବାର ପ୍ରଥମ ଥର ପାଇଁ ନଗଦ ବିହିନ ଚିକିତ୍ସା ପାଇଛନ୍ତି । ଭାରତ ସରକାରଙ୍କ ମୁଦ୍ରା ଯୋଜନା ୩୫ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀ ଆତ୍ମନିର୍ଭରତାର ପଥରେ ଅଗ୍ରସର ହୋଇଛନ୍ତି ବୋଲି ଶ୍ରୀ ମୋଦୀ ଉଦ୍ବୋଧନରେ ପ୍ରକାଶ କରିଥିଲେ । ଏହି କ୍ରମରେ ମଙ୍ଗଳବାର ପୁର୍ବାହ୍ନରେ ଗୈାତ୍ତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁର ଠାରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଯାଜପୁର ଜିଲ୍ଲାରେ ୧୨ଗୋଟି କେନ୍ଦ୍ରୀୟ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଏହି ଆଭାସୀ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭାପତି ଶ୍ରୀମତି ନଳିନୀପ୍ରଭା ଯେନା, ଉପସଭାପତି ଗଣେଶ୍ୱର ବରାଳ, ଯାଜପୁର ପୈାର ପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରୀଆ, ଏଲ୍ଡ଼ିଏମ୍ ମନୋଜ କୁମାର ପ୍ରଧାନି, ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ, ଯାଜପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୈାରଭ ଚକ୍ରବର୍ତ୍ତି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ବିରଞ୍ଚି ନାରାୟଣ ବାରିକ, ଓଏଲ୍ଏମ୍ ପ୍ରଶାନ୍ତ କୁମାର ପାଢ଼ୀ, ଏପିଡ଼ି ମଧୁସ୍ମିତା ପୃଷ୍ଟି, ଜିଲା ଶିଶୁ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲଙ୍କ ସମେତ ସହରର ବୁଦ୍ଧିଜୀବି, ବରିଷ୍ଠ ନାଗରୀକ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।