ବାରୁଦ ଗଦାରେ ଧର୍ମଶାଳା: ବରଡା ଓ ବାଜବାଟୀ ଦୃଷ୍ଟି ଆଢ଼ୁଆଳରେ; ଏସ୍‌.ପିଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରଂଶସା

ଧର୍ମଶାଳା,୬/୧୦: ବାରୁଦ ଗଦା ଉପରେ ଠିଆ ହୋଇଛି ଯାଜପୁର ଜିଲ୍ଲାର ଧର୍ମଶାଳା ଅଂଚଳ । ପ୍ରାୟ ୧୫ ବର୍ଷ ପରେ ଯାଜପୁର ପୋଲିସର ନିଦ ଭାଙ୍ଗିଛି । ଯାଜପୁର ଏସ.ପି ରାହୁଲ.ପି ଆରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଧର୍ମଶାଳାର ଚୋରା ବିସ୍ପୋରକ ସାମ୍ରାଜ୍ୟ ଉପରେ ପୁଲିସ ଚଢାଉ କରିଛି । ଏହାପରେ ବି ବରଡା ଏବଂ ବାଜବାଟୀ ପାହାଡ ମାଫିଆଙ୍କ ବିସ୍ପୋରକ ସମ୍ରାଜ୍ୟକୁ ପୋଲିସର ହାତ ନ ପାଇବା ନେଇ ସାଧାରଣରେ ନାହିଁ ନଥିବା ଅସନ୍ତୋଷ ଦାନା ବାନ୍ଧୁଛି ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ଧର୍ମଶାଳାରେ ମଣିଷ ରୂପୀ ପାହାଡ ଖିଆ ରାକ୍ଷାସମାନେ ଦୀର୍ଘ ୨୦ ବର୍ଷ ହେଲା ମାତିଛନ୍ତି । ବାରୁଦ ଗଦା ଉପରେ ଧର୍ମଶାଳାକୁ ଠିଆ କରାଇ ପାହାଡ ପରେ ପାହାଡକୁ ଗିଳି ଚାଲିଛନ୍ତି । ଅତି ବିପଦଜନକ ବିସ୍ପୋରକ ସାମଗ୍ରୀ ଦ୍ୱାରା ଏହି ଅଂଚଳରେ ରୀତିମତ ପାହାଡ ଫଟା ଚାଲିଛି । ଗୋଟିଏ ଗୋଟିଏ ବିସ୍ପୋରଣରେ ପାହାଡରୁ ହଜାର ହଜାର ଟ୍ରିପର ମୂଲ୍ୟବାନ ପଥର ଖସିଥାଏ । ସରକାର ପ୍ରତିଦିନ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଜଙ୍ଗଲ ଓ ପରିବେଶ ଧ୍ୱଂସାଭିମୁଖୀ ହୋଇଥିବା ବେଳେ ଏହି ବ୍ଲାଷ୍ଟିଂର ପ୍ରଭାବରେ ପାହାଡ, ନିକଟବର୍ତି ଶତାଧିକ ଗ୍ରାମରେ ପ୍ରତି ଦିନ ବହୁବାର ଅନୁଭୂତ ହୋଇଥାଏ ମୃଦୁ ଭୂମିକମ୍ପ । ଏହାକୁ ଦୃଷ୍ଟିରେ ରଖି ୧୫ ବର୍ଷ ପୂର୍ବରୁ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ କୌଣସି ପାହାଡରେ ୱାଗନ ହୋଲ ବ୍ଲାଷ୍ଟିଂ କରାନଯିବାକୁ କଡା ନିର୍ଦ୍ଦେଶ ଦିଆଯାଇ ଥିଲା । ଏହି ଆଧାରରେ ଯାଜପୁର ଜିଲ୍ଲାପାଳ ଓ ଯାଜପୁର ଏସ.ପିଙ୍କ ତରଫରୁ ପ୍ରତ୍ୟେକ ତହସିଲ ଏବଂ ଥାନାକୁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଆସିଥିଲା । ହେଲେ ପ୍ରତ୍ୟେକ ମାସରେ ବହୁ ଲକ୍ଷ ଟଙ୍କାର ମାସିକିଆ ବଟି ଲୋଭରେ ପୋଲିସ ଏବଂ ପ୍ରଶାସନିକ ବାବୁମାନେ ଥରୁଟେ ବି କାର୍ଯ୍ୟାନୁଷ୍ଠାନ ନେବାର ଦେଖାଯାଉ ନ ଥିଲା ।
     ସେ ଯାହାହେଉନା କାହିଁକି, ନିକଟରେ ଯାଜପୁର ଏସ.ପିଙ୍କ ନିର୍ଦ୍ଦେଶରେ ଏହି ତଥାକଥିତ କାରବାର ଉପରେ ଲଗାମ ଦେବା ପାଇଁ ଜିଲ୍ଲାର ବିଶ୍ୱସ୍ଥ ପୋଲିସ ଅଧିକାରୀଙ୍କ ଦ୍ୱାରା ବିସ୍ପୋରକ ଦ୍ରବ୍ୟର ଚୋରା ର‌୍ୟାକେଟର ପର୍ଦ୍ଧାଫାସ କରିବା ପାଇଁ ଜାଲ ବିଛା ଯଇଥିଲା । ଛଦ୍ୱ ବେଶରେ ପୋଲିସ ବାବୁମାନେ ପ୍ରାୟ ଗୋଟି ସପ୍ତାହ ହେଲା ଚଢେଇଧରା ଓ ବରଡା ଆଦି ଅଂଚଳରେ ବୁଲି ବୁଲି ଖବର ସଂଗ୍ରହ କରିଥିଲେ । ଏହାର ଫଳସ୍ୱରୂପ ରବିବାର ରାତିରେ ଚଡେଇଧରାର ଉପରଛକ, ନୂଆ ସାତମାଣ, ପୁରୁଣା ସାତମାଣରେ ତିନି ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀକୁ ଜବତ କରାଯାଇଛି । ହେଲେ ଯେଉଁ ଘର ଭିତରେ ଏହି ସାମଗ୍ରୀ ରହିଛି ସେହି ଘର ତାଲା ପଡିଥିବାରୁ ଉକ୍ତ ଘରକୁ ସିଲ କରାଯାଇଛି । ଏହି ସମସ୍ତ ସାମଗ୍ରୀ ସ୍ଥାନୀୟ ରଘୁ ସାହୁ ନାମକ ଜଣେ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିବା ବେଳେ ରଘୁ ସାହୁ ଏବଂ ତାଙ୍କ ପୁଅ ଫେରାର ହୋଇ ଯାଇଛନ୍ତି । ରଘୁ ସାହୁଙ୍କ ନିକଟକୁ ଆସିଥିବା ଗୋଟିଏ ବିସ୍ପୋରକ ସାମଗ୍ରୀ ବୋଝେଇ ଗାଡିକୁ ମଧ୍ୟ ଜବତ କରାଯାଇଛି । ଏହା ପରେ ଚଢେଇଧରାର ରଙ୍ଗାଧର ପ୍ରଧାନଙ୍କ ଘରେ ବିସ୍ପୋରକ ସାମଗ୍ରୀ ଥିବାର ପୋଲିସ ଜାଣି ଉକ୍ତ ଘରକୁ ମଧ୍ୟ ସିଲ କରିଛି । ହେଲେ ରଙ୍ଗାଧର ପ୍ରଧାନ ଫେରାର ହୋଇ ଯାଇଛନ୍ତି । ଏଥିନେଇ ଜେନାପୁର ଥାନାରେ ଦୁଇଟି ପୃଥକ ପୃଥକ କେସ ଯଥାକ୍ରମେ ୨୮୭ ଏବଂ ୨୮୮ ରୁଜୁ କରାଯାଇଛି ।
  ଅପରପକ୍ଷରେ, ଏବେ ଜେନାପୁର ଥାନା ଅନ୍ତର୍ଗତ ବରଡା ଏବଂ ବାଜବାଟୀ ପାହାଡରେ ସର୍ବାଧିକ ବିସ୍ପୋରକ ସାମଗ୍ରୀ ବ୍ୟବହାର ହେଉଛି । ଉଭୟ ପାହାଡକୁ ଲକ୍ଷ୍ୟ କଲେ ପାହାଡ ସ୍ଥିତି ମଧ୍ୟ ଏହାକୁ ପ୍ରମାଣିତ କରୁଛି । ଏହି ପାହାଡରେ ଅହରହ ହେଉଥିବା ବେଆଇନ ବ୍ଲାଷ୍ଟିଂ ପାଇଁ ବିସ୍ପୋରକ ସାମଗ୍ରୀ କେଉଁଠାରୁ ଆସୁଛି ଏବଂ କେଉଁଠାରେ ଗଚ୍ଛିତ ରହିଛି ତାହା ସମସ୍ତେ ଜାଣନ୍ତି । ଏହି ଦୁଇ ପାହାଡରେ ପ୍ରତ୍ୟେକ ଦିନ ଟନ ଟନ ବିସ୍ପୋରକ ସାମଗ୍ରୀ ବ୍ୟବହାର ହେଉଛି । ଏକା ସମୟରେ ଏହି ପାହାଡରେ ବ୍ଲାଷ୍ଟିଂ ପାଇଁ ଗଚ୍ଛିତ ଥିବା ବିସ୍ପୋରକ ସାମଗ୍ରୀ ଉପରେ ଚଢାଉ କରାଯାଇଥିଲେ ସମଗ୍ର ରାଜ୍ୟ ପାଇଁ ଏହା ଏକ ବଡ ଧରଣର ଚଢାଉ ହୋଇଥାନ୍ତା ବୋଲି ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ପୋଲିସ ମହାନିର୍ଦ୍ଦୋକଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି । ହେଲେ ଏହା ଉପରେ ଚଢାଉ କରାନଯିବାକୁ ନେଇ ସାଧାରଣରେ ବିଭିନ୍ନ କଥା ଶୁଣାଯାଉଛି । ତେବେ ୦୩ଟି ସ୍ଥାନରେ ଚଢାଉ ପରେ ମାଫିଆଙ୍କ ଶିବିରରେ ଛାନିଆ ପଶିଥିବା ବେଳେ ଉଭୟ ଜେନାପୁର ଏବଂ ଧର୍ମଶାଳା ଥାନା ଅଂଚଳରୁ ପୋଲିସ ନାମରେ ଯାଉଥିବା ମାସିକିଆ ଚାନ୍ଦା ନେଇ ମଧ୍ୟ କୋକୁଆଭୟ ସୃଷ୍ଟି ହୋଇଛି । ଏହି ଖବର ପୋଲିସ ମୁଖିଆଙ୍କ ପର୍ଯ୍ୟନ୍ତ ଯାଇଥିବାର ଆଶଙ୍କାରେ କେତେକ ପୋଲିସ ଅଧିକାରୀଙ୍କ ନିଦ ହଜି ଯାଇଛି । ତେବେ ଚଢ଼ଉକୁ ନେଇ ସାଧାରଣରେ ଏସ.ପିଙ୍କୁ ପ୍ରଶଂସା କରାଯାଉଥିବା ବେଳେ ଚଢେଇଧରାରେ ଥିବା ଅନ୍ୟ ନାମକରା ମାଫିଆଙ୍କ ସହ ବରଡା ଓ ବାଜବାଟୀ ମାଫିଆଙ୍କୁ ନେଇ ଏସ.ପିଙ୍କ ଆଗାମୀ ପଦକ୍ଷେପକୁ ଲୋକେ ଅପେକ୍ଷା କରିଛନ୍ତି । ଏସ.ପିଙ୍କ ଏଭଳି ପଦକ୍ଷେପ ପାଇଁ ସାଧାରଣରେ ଭରସା ଏବଂ ବିଶ୍ୱାସ ହରାଇଥିବା ସରକାରୀକଳ ପୁଣି କିଛିଟା ବିଶ୍ୱାସଭାଜନ ହୋଇଥିବାର କୁହାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close