ଯାଜପୁର ଏଲ.ଡି.ଏମ ପକ୍ଷରୁ ଋଣ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର, ୧୧/୧୦: ସାଧାରଣ ଜନତାର ଆର୍ଥିକ ଅଭିବୃଦ୍ଧିରେ ବ୍ୟାଙ୍କମାନଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଯାଜପୁର ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି । ସୋମବାର ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ଏସ.ବି ଆଇ ଲିଡ୍ ବ୍ୟାଙ୍କ ପକ୍ଷରୁ ଋଣ ସଂପ୍ରସାରଣ କାର୍ଯ୍ୟକ୍ରମ ବା କ୍ରେଡିଟ୍ ଆଉଟ୍ ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମହାନ୍ତି ପୂର୍ବରୁ ମହାଜନମାନେ ସାଧାରଣ ଲୋକଙ୍କୁ ଋଣ ଦେଇ ଶୋଷଣ କରୁଥିବାର ଘଟଣାର ଅବସାନ ଘଟିଛି । ବ୍ୟାଙ୍କମାନେ ବର୍ତମାନ ବିଭିନ୍ନ କ୍ଷେତ୍ର ପାଇଁ ଋଣ ଯୋଗାଇ ଦେଉଛନ୍ତି । ତେବେ ହିତାଧିକାରୀ ନିଜ ଆବଶ୍ୟକତାକୁ ପୁରଣ ପାଇଁ ନେଉଥିବା ଋଣକୁ ଉଚିତ ମାର୍ଗରେ ବିନିଯୋଗ କରି ଉପକୃତ ହେବା ସହ ଋଣ ପରିଶୋଧ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ବ୍ୟାଙ୍କମାନଙ୍କର ସହଯୋଗ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇ ପାରିଛି ବୋଲି କହିବା ସହ ବର୍ତମାନ ତିନି ହଜାର ସ୍ୱୟଂ ସହାୟକ ହିତାଧିକାରୀ ଗୋଷ୍ଠୀଙ୍କୁ ଶହେ କୋଡିଏ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ଏକ ଗୌରବର କଥା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ବ୍ୟାଙ୍କର୍ସମାନେ ହିତାଧିକାରୀମାନଙ୍କୁ ସହଯୋଗ କରିବା ସହ ସେମାନଙ୍କ ଆର୍ଥିକ ସମୃଦ୍ଧି ପାଇଁ ନିୟମ ଅନୁସାରେ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ । ହିତାଧିକାରୀମାନଙ୍କ ପାଇଁ ଥିବା ବିବିଧ ସୁବିଧା ସୁଯୋଗ ସମ୍ପର୍କରେ ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରିବା ଓ ସେମାନେ ଉପଯୁକ୍ତ ସମୟରେ ଋଣ ପରିଶୋଧ କରିଲେ ବ୍ୟାଙ୍କ ଓ ହିତାଧିକାରୀମାନଙ୍କ ମଧ୍ୟରେ ସୁ-ସମନ୍ୱୟ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ । ନାବାର୍ଡର ଡି.ଡି.ଏମ ସୁବ୍ରତ କୁମାର ସାହୁ, ଏସ.ବି. ଆଇର ଏଫ, ଏଲ୍ ସି. ନିର୍ଦ୍ଦେଶକ ବ୍ରଜ କିଶୋର ନାୟକ, ଏସ.ବି.ଆଇ ଯାଜପୁର ଶାଖାର ଆଂଚଳିକ ପ୍ରବନ୍ଧକ ପ୍ରଦିପ ଚନ୍ଦ୍ର ସାହୁ ପ୍ରମୁଖ ସାମାଜିକ ଅର୍ଥନୀତିର ବିକାଶ ପାଇଁ ବ୍ୟାଙ୍କର୍ସମାନେ ବଦ୍ଧପରିକର ବୋଲି କହିବା ସହ ଜିଲ୍ଲାରେ କାର୍ଯ୍ୟରତ ୨୫ଟି ବ୍ୟାଙ୍କ ହିତାଧିକାରୀଙ୍କୁ ଉନ୍ନତ ମାନର ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । ଏଲ.ଡି.ଏମ ମନୋଜ କୁମାର ପ୍ରଧାନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୬ଟି ବ୍ୟାଙ୍କର ଷ୍ଟଲର ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ଲୋକମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦିଆ ଯାଇଥିଲା । ବ୍ୟାଙ୍କର ହିତାଧିକାରୀମାନଙ୍କ ପାଇଁ ଥିବା ସୁବିଧା, ସୁରକ୍ଷା, ସଚେତନତା ଓ ନିରାପତା ସମ୍ପର୍କରେ ମଧ୍ୟ ସୂଚନା ଦିଆ ଯାଇଥିଲା । କାର୍ଯ୍ୟକ୍ରମରେ ଏସ.ବି.ଆଇର ମ୍ୟାନେଜର ଶୁଭଶ୍ରୀ ବଳ ମଂଚ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ, କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠି କର୍ମକର୍ତା, ବିଭିନ୍ନ ହିତାଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।