ଯାଜପୁରରୋଡ ତାଲୁକ ଆଇନସେବା ପ୍ରାଧିକରଣ ତରଫରୁ ‘ଆଇନସେବା ସଚେତନତା’ କାର୍ଯ୍ୟକ୍ରମ
ବ୍ୟାସନଗର, ୧୭/୯(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁରରୋଡ ତାଲୁକ ଆଇନସେବା ପ୍ରାଧିକରଣ ତରଫରୁ ଆଜି ଶୁକ୍ରବାର ସକାଳେ ସ୍ଥାନୀୟ ୨୪ନଂ. ୱାର୍ଡ଼ର ମୁଣ୍ଡମାଳ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଥିବା ଗୋଷ୍ଠୀ ଉନ୍ନୟନ କେନ୍ଦ୍ରରେ ଏକ ଆଇନସେବା ସଚେତନତା କାର୍ଯ୍ୟକ୍ରମ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଜିଲ୍ଲା ଅତିରିକ୍ତ ଦୈାରାଜଜ୍ (ଏ.ଡି.ଜେ) ମାନସ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗରୀବ, ଅସହାୟ, ଦଳିତ, ନିଷ୍ପେସିତ, ହରିଜନ, ଆଦିବାସୀ, ବେସାହାରା, ବୟସ୍କ ଆଦି ଶ୍ରେଣୀର ଲୋକମାନଙ୍କ ପାଇଁ ସରକାର ମାଗଣାରେ ଆଇନସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି କହିଥିଲେ । ତେଣୁ ଏହି ଶ୍ରେଣୀର ତଥା ଆର୍ଥିକ ଅନଟନ ମଧ୍ୟରେ ଥିବା ବ୍ୟକ୍ତିମାନେ ଆଇନସେବା ପାଇବା ପାଇଁ ଆଉ ଅସୁବିଧାରେ ପଡିବେ ନାହିଁ । ଏହି ସୁବିଧା ନେବା ପାଇଁ ମାନ୍ୟବର ଜଜ୍ ଶ୍ରୀଯୁକ୍ତ ପଣ୍ଡା ଉପସ୍ଥିତ ଗରୀବ ବ୍ୟକ୍ତି, ବୃଦ୍ଧ, ବୃଦ୍ଧାମାନଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନସେବା ପ୍ରାଧିକରଣ ତରଫରୁ ସହାୟକ ଭାବେ ରାଜେଶ କୁମାର ରାଉତ ଓ ଶିଶିର କୁମାର ରଥ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ ସୁବାସ ବଳସାମନ୍ତ, ରବୀନ୍ଦ୍ର ନାୟକ, ପୁଷ୍ପା ଓଝା, ପ୍ରଦୀପ ସ୍ୱାଇଁ, ଶୁଭେନ୍ଦୁ ଦାସ, ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ ଓ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଯୁବ ସମାଜସେବୀ ବସନ୍ତ କୁମାର ପାତ୍ର ଓ ଅସିତ୍ ଦାସ ସହଯୋଗ କରିଥିଲେ । ଏଥିରେ ବହୁ ଗରୀବ, ବସ୍ତି ବାସିନ୍ଦା ଆଦି ଯୋଗ ଦେଇ ମାଗଣା ଆଇନ ସେବା ଉପଲବ୍ଧତା ଉପରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଇନସେବା ପ୍ରାଧିକରଣ, ଯାଜପୁରରୋଡ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।