ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ର ପ୍ରତିଷ୍ଠାତା ୰ ମଦନ ମୋହନ ସ୍ୱାଇଁଙ୍କ ୮୧ତମ ଜୟନ୍ତୀ ପାଳନ ଓ ‘ୱେବିନାର’ ସେପ୍ଟେମ୍ବର ୧ରେ
ବ୍ୟାସନଗର,(ଉଦୟବଟ ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ର ପ୍ରତିଷ୍ଠାତା, ବିଶିଷ୍ଟ ଆଇନ୍ଜୀବୀ, ନୋଟାରୀ ପବ୍ଲିକ୍, ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ମଦନ ମୋହନ ସ୍ୱାଇଁଙ୍କ ୮୧ତମ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ତରଫରୁ ଆସନ୍ତା ସେପ୍ଟେମ୍ବର ୦୧ ତାରିଖ ବୁଧବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିଷ୍ପତି ନିଆଯାଇଛି । ଏହି ଅବସରରେ ସେଦିନ ସକାଳ ୯ ଘଟିକା ସମୟରେ ଟ୍ୟାକ୍ସ ବାର ଆସୋସିଏସନ୍ର ସଭାପତି ଅଜୟ କୁମାର ବିଶ୍ୱାଳଙ୍କ ଆବାହକତ୍ୱରେ ସଂଘ ତରଫରୁ ସ୍ଥାନୀୟ ପୌରାଂଚଳସ୍ଥିତ ତାଙ୍କ ଜନ୍ମଭୂମି ଭଟିଆ ଠାରେ ସ୍ଥାପିତ ହୋଇଥିବା ତାଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସକାଳ ୯ଟା ୩୦ମି. ସମୟରେ ସ୍ଥାନୀୟ ଧବଳଗିରି ସ୍ଥିତ ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ କାର୍ଯ୍ୟାଳୟରେ ସ୍ୱର୍ଗତ ସ୍ୱାଇଁଙ୍କ ଜୀବନାଦର୍ଶ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବାର ଯୋଜନା କରାଯାଇଛି । ଏହା ପରେ ସଂଘର ସଭାପତିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା, ସଭ୍ୟ/ ସଭ୍ୟା, ଉପଦେଷ୍ଟା, ପୂର୍ବତନ ସଭାପତି, ସମ୍ପାଦକ, ସ୍ୱର୍ଗତ ସ୍ୱାଇଁଙ୍କ ସୁପୁତ୍ର ମହାମାୟା ପ୍ରତାପ ସ୍ୱାଇଁଙ୍କ ସମେତ ପରିବାର ଓ ବନ୍ଧୁ ବର୍ଗ, କିଛି ସ୍ଥାନୀୟ ବ୍ୟକ୍ତି ବିଶେଷ ନିକଟସ୍ଥ ରମ୍ପାସ (ନୂଆଗାଁ) ଠାରେ ଥିବା ଅନ୍ନପୂର୍ଣ୍ଣା ବାଳାଶ୍ରମର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟଉପକରଣ ପ୍ରଦାନ କରିବା ସହ ମିଷ୍ଠାନ୍ନ ବଂଟନ କରାଯିବାକୁ ଯୋଜନା ରହିଛି । ସେଦିନ ସନ୍ଧ୍ୟା ୭ ଘଟିକା ସମୟରେ ସଂଘର ସଭାପତି ଶ୍ରୀଯୁକ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ କୋଭିଡ଼୍-୧୯ ମାର୍ଗଦର୍ଶିକା ଅନୁସାରେ ‘ଜୁମ୍’ ଆପ୍ ଜରିଆରେ (Access to Justice & Legal Profession) ସାମ୍ପ୍ରତିକ ନ୍ୟାୟିକ ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ- ସାଧାରଣ ଜନତା ଓ ଆଇନ୍ଜୀବୀ ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ୱେବିନାରରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ସମ୍ମାନିତ ଅତିଥି ଓ ବକ୍ତା ଭାବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନ୍ଜୀବୀ ତଥା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ର ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ସାହୁ ଯୋଗ ଦେଉଥିବାବେଳେ ଅନ୍ୟତମ ଅତିଥି ଓ ବକ୍ତାଭାବେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଓ ନିଖିଳ ଓଡ଼ିଶା ଆଇନ୍ଜୀବୀ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଭୂପ୍ରସାଦ ତ୍ରିପାଠୀ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ଏହି ୱେବିନାରକୁ ନିଖିଳ ଓଡ଼ିଶା ଆଇନ୍ଜୀବୀ ସଂଘର ଉପ-ସଭାପତି ତଥା ନିଖିଳ ଓଡ଼ିଶା ଟ୍ୟାକ୍ସ ଆଇନଜୀବୀ ସଂଘର ଉପ-ସଭାପତି ବିବେକାନନ୍ଦ ମହାନ୍ତି ସଂଯୋଜନା କରିବେ ବୋଲି ସଂଘର ସମ୍ପାଦକ ଧନେଶ୍ୱର ବାରିକ ଜଣାଇଛନ୍ତି ।