ଯାଜପୁରରୋଡରେ ନୂତନ ରେଳବାଇ ଡିଭିଜନ ପାଇଁ ଦସ୍ତଖତ ଅଭିଯାନ ଜାରୀ, ଆଜି ସାହାପୁର ହାଟରେ ବହୁ ବ୍ୟକ୍ତି ଦାବୀ ଦୋହରାଇଲେ
ସାହାପୁରହାଟ,୧୨ା୭(ଉ.ନ୍ୟୁଜ୍ ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ ଓ ସମ୍ପ୍ରସାରଣ ପରେ ଓଡ଼ିଶାର ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀ ହେବା ପରେ ଓଡ଼ିଶାରେ ରେଳ ଭିତିଭୂମିର ବିକାଶ ପାଇଁ ବିଭିନ୍ନ ମହଲରେ ଆଶାର ସଂଚାର ହୋଇଛି । ଏହି ମର୍ମରେ ଯାଜପୁର-କେଉଁଝରରୋଡ଼ର ସର୍ବାଙ୍ଗୀନ ବିକାଶ ସଂଗେ ସଂଗେ ଇଷ୍ଟକୋଷ୍ଟ ରେଳ ଜୋନର ଯାଜପୁରରୋଡ ଠାରେ ଏକ ରେଳ ଡିଭିଜନ ପାଇଁ ଦୀର୍ଘ ବର୍ଷ ଧରି ହୋଇଆସିଥିବା ଦାବୀ ପୁଣି କ୍ରିୟାଶୀଳ ହୋଇଛି । ଏହି ଦାବୀକୁ ଲଗାତର ଭାବେ ଦୋହରାଇ ଆସୁଥିବା ରାଜ୍ୟର ଜଣେ ଆଗଧାଡ଼ିର ସାମାଜିକ କର୍ମୀ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଢ଼େର ଆଶାବାଦୀ ହୋଇପଡିଛନ୍ତି । ଗତକାଲି ବ୍ୟାସନଗର ପୈାରାଚଂଳର ଚୋରଦା ସ୍ଥିତ ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ କାର୍ଯ୍ୟାଳୟରେ ଦସ୍ତଖତ ଅଭିଯାନ ଚାଲିଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସମାଜ’ ପ୍ରତିନିଧି ଚନ୍ତାମଣି ପାଢ଼ୀ, ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ସହ-ସଂପାଦକ ପ୍ରଫୁଲ୍ଲ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଡ଼ା. ନୃସିଂହ ଚରଣ ପରିଡା, ପାୱାର ଏମ୍ପ୍ଲଇଜ୍ ୟୁନିୟନର ସାଧାରଣ ସଂପାଦକ ଘନଶ୍ୟାମ ରାଉତ, ମଂଚର ବରିଷ୍ଠ ସଭ୍ୟ ଯୁଧିଷ୍ଠିର ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଯୋଗଗୁରୁ ବଟକୃଷ୍ଣ ପ୍ରଧାନ, ସନାତନ ମଲ୍ଲିକ, ବିଭୀଷଣ ନାୟକ, ଅରୁଣା ଖଣ୍ଡାଇ, ଗୈାରୀଶଙ୍କର ପତି, ଦୀପକ ମଲ୍ଲିକ, ଶଙ୍କର୍ଷଣ ସାହୁ ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇ କେନ୍ଦ୍ରର ନୂତନ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବଙ୍କୁ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ଏହି ଯଥାର୍ଥ ଦାବୀ ପ୍ରତି ସେ ଧ୍ୟାନ ଦେବେ ବୋଲି ଆଶାପୋଷଣ କରିଥିଲେ । ଯାଜପୁରରୋଡରେ ନୂତନ ରେଳ ଡିଭିଜନ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିଛି ବୋଲି ଦର୍ଶାଇ ସମସ୍ତେ ଶ୍ରୀ ରାଉତଙ୍କ ପ୍ରସ୍ତୁତ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦରଖାସ୍ତରେ ଦସ୍ତଖତ କରିଥିଲେ । ଏହି ଦାବୀକୁ ଗୁରୁତ୍ୱ ଦେଇ ସାମ୍ବାଦିକମାନେ ନିୟମିତ ସଠିକ ଭାବେ ଖବର ପ୍ରକାଶନ କରିଆସୁଥିବାରୁ ଶ୍ରୀ ରାଉତ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ।
ଆଜି ସକାଳେ ଏଥିପାଇଁ ଯାଜପୁରରୋଡରେ ଦସ୍ତଖତ ସଂଗ୍ରହ କରାଯାଇଥିଲା । ବିଶିଷ୍ଟ ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରିୟରଂଜନ କର, ଆବାହକ ଦୁଷ୍ମନ୍ତ କୁମାର ରାଉତ, ସମାଜସେବୀ ଚକ୍ରଧର ମଲ୍ଲିକ ପ୍ରମୁଖ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ଦସ୍ତଖତ ଆଣିଥିଲେ । ବାଙ୍ଗାଲୋରର ଉଦ୍ୟୋଗୀ ଜ୍ଞାନେଶ ରଂଜନ ମିଶ୍ର ପ୍ରମୁଖ ଏଥିରେ ଦସ୍ତଖତ କରିଥିଲେ ।
ଏଥିସହ ଆଜି ସୋମବାର ଅପରାହ୍ନରେ କୋରେଇ ବ୍ଲକ ଅର୍ନ୍ତଗତ ସାହାପୁର ହାଟ ଠାରେ ଶ୍ରୀ ରାଉତଙ୍କ ପ୍ରଚେଷ୍ଟାରେ ଦସ୍ତଖତ ଅଭିଯାନ ଜାରୀ ରହିଥିଲା । ଏଥିରେ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ବାଦଲ ମହାନ୍ତି ଯୋଗ ଦେଇ ସମାଜସେବୀ ଦୁଷ୍ମନ୍ତ କୁମାର ରାଉତଙ୍କ ଦୀର୍ଘବର୍ଷର ଉଦ୍ୟମ କେବେ ବେକାର ଯିବ ନାହିଁ ବୋଲି କହିବା ସହ ଏହା ଦିନେ ନା ଦିନେ ସାକାର ହେବ ବୋଲି କହିଥିଲେ । ପରେ ଶତାଧିକ ବ୍ୟକ୍ତି ଅଳ୍ପ ଅଳ୍ପ ସଂଖ୍ୟାରେ ଆସି ରାତ୍ର ୯ଟା ୩୦ମି ପର୍ଯ୍ୟନ୍ତ ଦାବୀକୁ ଦୋହରାଇବା ସହ ଦରଖାସ୍ତ ଦ୍ୱୟରେ ଦସ୍ତଖତ କରିଥିଲେ । ଗୈାରୀଶଙ୍କର ପତି ଏହାକୁ ସଂଚାଳନ କରିଥିଲେ ।