ମହାରାଷ୍ଟ୍ରର ‘ରାଜୁରି ଷ୍ଟିଲ’ ଫର୍ନେସ ବିଷ୍ଫୋରଣରେ ଆଉ ଜଣେ ଓଡ଼ିଆ ଶ୍ରମିକ ମୃତ, ତଦନ୍ତକୁ ଯୋରଦାର କଲା ଯାଜପୁର ଶ୍ରମ ବିଭାଗ
ବ୍ୟାସନଗର,୨୪ା୬(ଉ.ନ୍ୟୁଜ୍ ବ୍ୟୁରୋ): ମହାରାଷ୍ଟ୍ରର ଜଲ୍ନା ଜିଲାର ‘ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର’ ତରଳ ଷ୍ଟିଲ ଫର୍ନେସର ଉତପ୍ତ ମୋଲ୍ଡରେ ହଠାତ୍ ବିଷ୍ଫୋରଣ ଘଟିବାରୁ ସେଠାରେ କାମ କରୁଥିବା ଯାଜପୁର ଜିଲା କୋରାଇ ବ୍ଲକ ଅନ୍ତର୍ଗତ ବଡବିରୁଆଁ ଗ୍ରାମର ୦୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ଶ୍ରମିକ ମଧ୍ୟ ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ । ହେଲେ ପୁଣି ଆଜି ପୂର୍ବାହ୍ନରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଜଲ୍ନାରୁ ୬୦ କି.ମି ଦୂର ଔରଙ୍ଗାବାଦ ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ମୃତ୍ୟୁ ହୋଇଥିବାର ଜଣାଯାଇଛି । ମୃତ ଶ୍ରମିକଙ୍କ ନାମ ହେଉଛି ଭରତ ସେଠୀ (୩୦ ବର୍ଷ) । ତାଙ୍କ ଘର ଯାଜପୁରର ମଂଗଳପୁର ଅଂଚଳରେ । ବିନା ଆନ୍ତଃରାଜ୍ୟ ଶ୍ରମିକ ଲାଇସେନ୍ସରେ ଯାଜପୁର ମଂଗଳପୁରର କୋତପୁର ଗ୍ରାମର ବାବୁଲି ବାଇ ଏହି କାରଖାନାକୁ ଶ୍ରମିକ ଯୋଗାଣ କରିଆସୁଥିଲା ବୋଲି ଜଣାଯାଇଛି । ସେ ୫୦ରୁ ଉର୍ଦ୍ଧ ଶ୍ରମିକଙ୍କୁ ଏପରି ଭାବେ ଖୁଲମଖୋଲା କମ୍ପାନୀ ହାତରେ ଟେକିଦେଇ ଭଲ ରୋଜଗାର କରୁଥିଲା ବୋଲି ଜଣାଯାଇଛି । ଆଜି ଯାଜପୁରର ଯୁଗ୍ମ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର ତଦନ୍ତ ବେଳେ ଏକଥାକୁ ଠିକାଦାର ଶ୍ରୀ ବାଇ ସ୍ୱୀକାର କରିଥିବାର ଜଣାଯାଇଛି । ମାତ୍ର ଏପରି ଭାବେ ୫୦୦ ପାଖାପାଖି ଶ୍ରମିକଙ୍କୁ ନେଇ ଅତ୍ୟନ୍ତ ବିପଦ ସଂକୁଳ ସ୍ଥାନରେ ୧୨ ଘଂଟିଆ ଖଟାଉଥିଲା । ଏହା ଉପରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରମିକ ନେତା ଓ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଶ୍ରୀ ମହାପାତ୍ରଙ୍କ ଠାରେ ଦାବୀ କରିଛନ୍ତି । ପୂର୍ବରୁ ଏହି ଦୁର୍ଘଟଣାରେ ପାଣିକୋଇଲି ଥାନା ଅର୍ନ୍ତଗତ ବଡବିରୁଆଁ ଗ୍ରାମର ବେଣୁଧର କବିିଙ୍କ ସାନପୁଅ ସରୋଜ(୨୨) ଓ ଜଟାଝାରୀ ପଲେଇଙ୍କ ସାନପୁଅ ହେମନ୍ତ(୨୬)ଙ୍କ ମୃତ୍ୟୁ ହୋଇଥିଲା ବେଳେ ହେମନ୍ତଙ୍କ ମଝିଆ ଭାଇ ପ୍ରସନ୍ନ (୨୮) ମଧ୍ୟ ଏଥିରେ ଗୁରୁତର ଭାବେ ଆହତ ହୋଇ ଗ୍ରାମକୁ ଫେରିଛନ୍ତି । ଗତ ୨୦/୬ରେ ହେମନ୍ତଙ୍କ ଶବ ଓ ୨୧/୬ରେ ସରୋଜଙ୍କ ଶବ ଆସି ଗ୍ରାମରେ ପହଚିଂବା ପରେ ଶୋକାକୂଳ ପରିବେଶ ମଧ୍ୟରେ ସେମାନଙ୍କ ଶବ ସତ୍କାର କରାଯାଇଛି । ଆଜି ଭରତଙ୍କ ଶବ ଯାଜପୁର ଆସୁଥିବାର ଜଣାଯାଇଛି । ଅପରପକ୍ଷରେ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଓ ଦତନ୍ତକାରୀ ଅଧିକାରୀ ତଥା ଅତିରିକ୍ତ ଶ୍ରମ ଅଧିକାରୀ ଚିତରଂଜନ ରାଉତ ପ୍ରମୁଖ ସବିଶେଷ ତଥ୍ୟ ହାସଲ କରି ରାଜ୍ୟ ଶ୍ରମ କମିଶନରଙ୍କୁ ରିପୋର୍ଟ ଦେବାକୁ ଲାଗିପଡ଼ିଛନ୍ତି । ଗତକାଲି ଯାଜପୁର ଶ୍ରମ ବିଭାଗ ତରଫରୁ ଏ.ଏଲ.ଓ ଶ୍ରୀ ରାଉତ ତଦନ୍ତ କରିବା ପାଇଁ ବଡ଼ବିରୁଆଁ ଯାଇଥିଲେ । ତଦନ୍ତ ସମୟରେ ଘଟଣା ସଂର୍ପକରେ ଶ୍ରମ ବିଭାଗ ନିକଟରେ ଫେରାଦ ହୋଇଥିବା ସାମାଜିକ କର୍ମୀ ଶ୍ରୀ ରାଉତ ଓ ପଂଚାୟତର ବିଜେଡି ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରିଥିଲେ । ଶ୍ରମ କମିଶନରଙ୍କୁ ଜେ.ଏଲ.ସି ଶ୍ରୀଯୁକ୍ତ ମହାପାତ୍ର ରିପୋର୍ଟ ଦେବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଯାଇଛି ।