ମହାରାଷ୍ଟ୍ରର ‘ରାଜୁରି ଷ୍ଟିଲ’ ଫର୍ନେସ ବିଷ୍ଫୋରଣରେ କୋରାରର ୨ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ କଲା ଯାଜପୁର ଶ୍ରମ ବିଭାଗ
ବ୍ୟାସନଗର,୨୩ା୬(ଉ.ନ୍ୟୁଜ୍ ବ୍ୟୁରୋ): ମହାରାଷ୍ଟ୍ରର ଜଳାନ ଜିଲାର ‘ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର’ ତରଳ ଷ୍ଟିଲ ଫର୍ନେସର ଉତପ୍ତ ମୋଲ୍ଡରେ ହଠାତ୍ ବିଷ୍ଫୋରଣ ଘଟିବାରୁ ସେଠାରେ କାମ କରୁଥିବା ଯାଜପୁର ଜିଲା କୋରାଇ ବ୍ଲକ ଅନ୍ତର୍ଗତ ବଡବିରୁଆଁ ଗ୍ରାମର ୦୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ମୃତ ଯୁବକ ଦ୍ୱୟ ହେଲେ ପାଣିକୋଇଲି ଥାନା ଅର୍ନ୍ତଗତ ବଡବିରୁଆଁ ଗ୍ରାମର ବେଣୁଧର କବିିଙ୍କ ସାନପୁଅ ସରୋଜ(୨୨) ଓ ଜଟାଝାରୀ ପଲେଇଙ୍କ ସାନପୁଅ ହେମନ୍ତ(୨୬) ହୋଇଥିଲା ବେଳେ ତାଙ୍କ ମଝିଆ(୨୮) ପୁଅ ପ୍ରସନ୍ନ ମଧ୍ୟ ଏହି ବିଷ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଥାଇ ଗ୍ରାମକୁ ଫେରିଛନ୍ତି । ଗତ ୨୦/୬ରେ ହେମନ୍ତଙ୍କ ଶବ ଓ ୨୧/୬ରେ ସରୋଜଙ୍କ ଶବ ଆସି ଗ୍ରାମରେ ପହଚିଂବା ପରେ ଶୋକାକୂଳ ପରିବେଶ ମଧ୍ୟରେ ସେମାନଙ୍କ ଶବ ସତ୍କାର କରାଯାଇଛି । ୰ ହେମନ୍ତ ପଲାଇଙ୍କ ଶବ ସଂଗରେ କମ୍ପାନୀ କର୍ତୃପକ୍ଷ ୦୨ ଲକ୍ଷ ଟଙ୍କା ଦେଇଥିବା ବେଳେ ସରୋଜ କବିଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ । ଆଜି ସକାଳେ ୭୫ ହଜାର ଲେଖାଏ ୦୨ଥର କମ୍ପାନୀ ଟଙ୍କା ଟ୍ରାନ୍ସଫର କରିଛନ୍ତି । ଘଟଣା ସଂର୍ପକରେ ଯାଜପୁର ଶ୍ରମ ଯୁ୍ଗ୍ମ ଆୟୁକ୍ତ ପ୍ରଦୀପ କୁମାର ମହାପାତ୍ରଙ୍କୁ ଶ୍ରମିକ ନେତା ତଥା ସମାଜସେବୀ ଦୁଷ୍ମନ୍ତ କୁମାର ରାଉତ ଜଣାଇବା ପରେ ଶ୍ରୀ ମହାପାତ୍ର ସଂଗେ ସଂଗେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଚିତ ରଂଜନ ରାଉତଙ୍କୁ ଯଥାଶୀଘ୍ର ତଦନ୍ତ କରିବାକୁ କହିଥିଲେ । ଫଳରେ ଏ.ଏଲ.ଓ ଶ୍ରୀ ରାଉତ ଆଜି ପୂର୍ବାହ୍ନରେ ବଡ଼ବିରୁଆଁ ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରି ସେମାନଙ୍କ ପରିବାରରୁ ତଥ୍ୟ ସଂଗ୍ରହ କରିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଗତ କାଲି ରାତ୍ରୀରେ ଘଟଣାର ତତ୍କାଳ ତଦନ୍ତ ପାଇଁ ଆବଶ୍ୟକୀୟ କାଗଜାଦି ଯଥା- ‘ଫର୍ମ-ଜି’ ଓ ‘ଫର୍ମ-ଏଫ’ ଆଦି ପ୍ରସ୍ତୁତ କରିଛନ୍ତି । ଫଳରେ ଉଭୟ ମୃତ ଶ୍ରମିକ ଓ ଗୁରୁତର ଆହତ ଶ୍ରମିକମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବ ବୋଲି ଆଶା କରାଯାଉଛି । ଘଟଣାର ତୁରନ୍ତ ହସ୍ତକ୍ଷେପ ପାଇଁ ଜେ.ଏଲ.ସି ଶ୍ରୀଯୁକ୍ତ ମହାପାତ୍ର ଏବଂ ଡି.ଏଲ.ଓ ଶ୍ରୀ ମହାନ୍ତିଙ୍କୁ ସମାଜସେବୀ ଶ୍ରୀ ରାଉତ ସାଧୂବାଦ ଜଣାଇଛନ୍ତି । ବୋଲି ସମିତି ସଭ୍ୟ ସୁଶାନ୍ତ ମହାପାତ୍ର କହିଛନ୍ତି । ସରୋଜ ଜଣେ ଅତ୍ୟନ୍ତ ଗରୀବ ଶ୍ରେଣୀର ଯୁବକ ।
ସୂଚନାଯୋଗ୍ୟ, ବଡବିରୁଆଁ ଗ୍ରାମର ବେଣୁଧର କବିଙ୍କ ପୁଅ ସରୋଜ ଓ ଜଟାଝାରୀ ପଲେଇଙ୍କ ୨ପୁଅ ହେମନ୍ତ ଓ ପ୍ରସନ୍ନଙ୍କ ସହ ଅନ୍ୟ ୦୨ ଭାଇ ସେଠାକୁ କାମ କରିବାକୁ ଯାଇଥିଲେ । ଏହି ଗ୍ରାମର ୮-୧୦ ଜଣ ଶ୍ରମିକ ସେଠାରେ କାମ କରୁଥିବାର ଜଣାଯାଇଛି । ଘଟଣା ପରେ ଭୟଭୀତ ହୋଇ ପ୍ରାୟ ସବୁ ଶ୍ରମିକ ଘରକୁ ଫେରିଥିବାର ଜଣାଯାଇଛି । କରୋନାର ୧ମ ଲହର ପରେ ସବୁ ଶ୍ରମିକ ଗ୍ରାମକୁ ଫେରିଥିଲେ । ପୁନଶ୍ଛ, କାରଖାନା ଚାଲିବା ପରେ ଯାଜପୁର ମଂଗଳପୁର ନିକଟସ୍ଥ କୋତପୁରର ଠିକାଦାର ମେସର୍ସ ବାବୁଲି ବାଇ ସେମାନଙ୍କୁ ବାରବାର ଫୋନ କରି କାମକୁ ଡାକିବା ପରେ ପେଟର ଭୋକ ଓ ପରିବାରର ସମସ୍ୟା ମେଂଟାଇବା ପାଇଁ ପୁଣି ମହାରାଷ୍ଟ୍ରକୁ ଗତ ଅଗଷ୍ଟ ୨୦୨୦ରେ କାମ କରିବା ପାଇଁ ଯାଇଥିଲେ । କିଏ ଜାଣିଥିଲା ଏହି ଦୁର୍ଘଟଣା ଗାଁର ୦୨ ଯୁବ ସୁଲଭଙ୍କୁ ଛଡ଼ାଇ ନେବ । ଅନ୍ୟ ଜଣଙ୍କୁ ଏପରି ପୋଡି ଜାଳି ଗୁରୁତର କରିଦେବ । ମହାରାଷ୍ଟ୍ରର ଜଲନା ଜିଲାର ‘ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର’ କମ୍ପାନୀରେ ସେମାନେ ଅତି ବିପଦପୂର୍ଣ୍ଣ ସ୍ଥାନ ଫର୍ନେସର ‘ମୋଲ୍ଡ’ ନିକଟରେ ୧୬୦୦ରୁ ୧୭୦୦ ଡିଗ୍ରୀ ତାପମାତ୍ରାରେ ସେଭଳି କୈାଣସି ସେପ୍ଟି ପୋଷାକ ନ ପିନ୍ଧି କାମ କରୁଥିଲେ । ସେଠାରେ ୦୨ଟି ସିପ୍ଟରେ ସେମାନେ କାମ କରୁଥିଲେ । ସକାଳ ୮ରୁ ରାତ୍ର ୮ ଏବଂ ରାତ୍ର ୮ରୁ ସକାଳ ୮ ଏପରି ୧୨ ଘଂଟିଆ ସିପ୍ଟ ଡ୍ୟୁଟି ସେମାନେ କରୁଥିଲେ । ଯଦି ଆଉ ଜଣେ ଶ୍ରମିକ ନ ଆସେ ତେବେ ଜଣଙ୍କୁ ସେହି ବିପଦପୂର୍ଣ୍ଣ ସ୍ଥାନରେ କ୍ରମାଗତ ୨୪ ଘଂଟା କିମ୍ବା ୩୬ ଘଂଟା….. ଏପରି ଭାବେ ନନ୍ ଷ୍ଟପ୍ କାମ କରିବାକୁ ହୋଇଥାଏ । ସପ୍ତାହନ୍ତ ଛୁଟି ଏଠାରେ ଆଦୈା ଦିଆଯାଉ ନ ଥିବାରୁ ଶ୍ରମିକ ବାପୁଡା ବାଧ୍ୟ ହୋଇ ମାସ ତମାମ କାରଖାନାରେ ଖଟିଥାଏ । ଏଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଇ.ପି.ଏଫ କି ଇ.ଏସ.ଆଇ ବ୍ୟବସ୍ଥାରେ କ୍ୱଚିତ୍ ସାମିଲ କରାଯାଇଥାଏ । ଏହି ଗ୍ରାମରୁ ୮-୧୦ ଜଣ ଶ୍ରମିକଙ୍କ ମଧ୍ୟରୁ ମାତ୍ର ଜଣେ ଦି ଜଣଙ୍କର ଏହା ମାତ୍ର କେଇ ମାସ ଆଗରୁ କରାଯାଉଛି । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ମହାରାଷ୍ଟ୍ରର ଶିବସେନା ସରକାର କିପରି ଅତି ଜରୁରୀ ଆଇନକୁ ଲଙ୍କଜ୍ଞର ନ କରି ଶ୍ରମିକମାନଙ୍କୁ ନିଆଁକୁ ଠେଲି କମ୍ପାନୀମାନଙ୍କ ପେଟକୁ ଭରିଚାଲିଥାଏ ବୋଲି ଆରୋପ କରିଛନ୍ତି ଶ୍ରମିକ ନେତା ଶ୍ରୀ ରାଉତ । ଉଦାହରଣଭାବେ ଓଡ଼ିଶାର କଳିଙ୍ଗନଗର ଶିଳ୍ପାଂଚଳକୁ ନିଆଯାଇପାରେ । ଆଗ ଇ.ଏସ.ଆଇର ଆଇ.ପି ନ ବାହାରିଲେ ଜଣେ ଶ୍ରମିକଙ୍କର ଗେଟ୍ ପାସ ବାହାରି ପାରିବ ନାହିଁ କି ସେ କମ୍ପାନୀ ମଧ୍ୟକୁ କାମ କରିବାକୁ ଯାଇପାରିବେ ନାହିଁ । କାମରେ ଯୋଗ ଦେଲେ ମାସ ଶେଷର ୧୫ ଭିତରେ ଇ.ପି.ଏଫ ଓ ଇ.ଏସ.ଆଇ ଭରଣା ନ କଲେ ଠିକାଦାରଙ୍କ ବିଲ ପାସ ହୁଏ ନାହିଁ । ମାତ୍ର ଏତେ ସଚେତନ ଓ ସମୃଦ୍ଧ ବୋଲାଉଥିବା ମହାରାଷ୍ଟ୍ର ଭଳି ରାଜ୍ୟରେ କିଭଳି ଏହି କେନ୍ଦ୍ରୀୟ ଯୋଜନାକୁ ଉପେକ୍ଷା କରାଯାଉଛି ସେ ବିଷୟରେ ଭାବିଲେ ଦୁଃଖ ଲାଗେ । କାରଖାନାରେ ସବୁ ଦିନ ପରି ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ୧୨ ଘଂଟା ଡ଼୍ୟୁଟି କରିବାକୁ ଯାଇଥିଲେ ସରୋଜ, ହେମନ୍ତ, ପ୍ରସନ୍ନ ଆଦି ଯାଇଥିଲେ । କିଏ ଜାଣେ ଅଚାନକ ଦିନ ୧୧ଟା ୩୦ମି. ସମୟରେ ଦୁର୍ଘଟଣା ଘଟି ୦୨ଜଣଙ୍କ ଜୀବନ ଯିବ ଓ ଜଣେ ଗୁରୁତର ହେବ ବୋଲି । ସେଠାରେ କାମ କରୁଥିବା ୧୦ଜଣ ଶ୍ରମିକ ଏଥିରେ ଗୁରୁତର ଆହତ ହୋଇଥିଲୋ । ଦୁର୍ଘଟଣା ପରେ କାରଖାନା କର୍ତୃପକ୍ଷ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଦୀପକ ଘରୋଇ ଡ଼ାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଏଠାରୁ ୭୦ କି.ମି ଦୂର ଔରଙ୍ଗାବାଦ ସ୍ଥିତ ମେଡିକାଲ କଲେଜ ଓ ହସପିଟାଲକୁ ନେଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା । ହେମନ୍ତର ସେହିଦିନ ରାତ୍ର ୩ଟା ୩୦ମି ପାଖାପାଖି ସମୟରେ ମୃତ୍ୟୁ ହୋଇଥିବା ବେଳେ ସରୋଜର ତା’ପର ଦିନ ଦିନ ୩ଟା ପାଖାପାଖି ମୃତ୍ୟୁ ହୋଇଥିଲା । କମ୍ପାନୀ ହେମନ୍ତର ଶବକୁ ୨୦ତାରିଖରେ ଓଡ଼ିଶାକୁ ପଠାଇଥିଲା ଓ ସରୋଜର ଶବକୁ ୨୧ ତାରିଖରେ ଗାଡିରେ ପଠାଇଥିଲା । ତେଣୁ ୨୧ ତାରିଖରେ ହେମନ୍ତର ଶବ ଓ ୨୨ ତାରିଖରେ ସରୋଜର ଶବ ଗାଁରେ ପହଚିଂଥିଲା । ଯାଜପୁର ଶ୍ରମ ବିଭାଗ ଆଜି ତଦନ୍ତ କରି ଶ୍ରମ କମିଶନରଙ୍କୁ ରିପୋର୍ଟ ଦେବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଯାଇଛି ।