ମୂର୍ତ୍ତି ନିର୍ମାଣ ବିବାଦର ଅନ୍ତକଲେ ସରକାର: ସ୍ପଷ୍ଟ କଲେ ଏସଆରସି, ପୂର୍ବଭଳି ୪ଫୁଟ ମୂର୍ତ୍ତିରେ ରହିବ ସୀମିତ

ଯାଜପୁର ; ୧୦/୦୯ (ସନ୍ତୋଷ କୁମାର ରଥଙ୍କ ଠାରୁ) : ଯାଜପୁର ପାର୍ବଣରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ତଥା ଆବଦ୍ଧ ପୂଜାକୁ ବିରୋଧ କରି ତୁମ୍ବିତୋଫାନ ହୋଇଥିବାବେଳେ ସରକାର ଏହି ବିବାଦର ଅନ୍ତଘଟାଇଛନ୍ତି । ତେବେ ସରକାର ନିଜ ଜିଦ୍‌ରୁ ଓହରି ନାହାନ୍ତି । ତେଣୁ ଚଳିତ ବର୍ଷ ପାର୍ବଣରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି କରାଯିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅର୍ଥାତ୍ ମୂର୍ତ୍ତିର ଉଚ୍ଚତା ୪ ଫୁଟରେ ସୀମିତ ରହିବ । ଏ ନେଇ ଆଜି ଏକ ପ୍ରେସ ବାର୍ତ୍ତାରେ ଏସଆରସି ଶ୍ରୀ ଜେନା ସୂଚନା ଦେଇ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କିଛି ଦିନ ତଳେ କଟକର ଲୋକ ପ୍ରତିନିଧି ଓ ପୂଜା କମିଟି ସରକାରଙ୍କ ସହ ଆଲୋଚନା କରିଥିଲେ । ସରକାର ମଧ୍ୟ ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଆଜି ରାଜ୍ୟ ସରକାର ପୂଜା ପାଇଁ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ମୂର୍ତ୍ତି ଉଚ୍ଚତାକୁ ୪ ଫୁଟରେ ସୀମିତ ରଖିବା ନିଷ୍ପତ୍ତିରେ ରାଜ୍ୟ ସରକାର ବଳବତ୍ତର ରହିଛନ୍ତି । ଅର୍ଥାତ୍ ପୂଜାରେ ମୂର୍ତ୍ତିର ଉଚ୍ଚତା ବଢ଼ିବ ନାହିଁ ବୋଲି କହିଛନ୍ତି । ଏସଆରସି ପୁଣି କହିଛନ୍ତି ଯେ, ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଏବେ ଚାଲିଛି । ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ ଜାରି କରିଥିଲେ । ମୂର୍ତ୍ତି ଉଚ୍ଚତା, ସାଜସଜା ନେଇ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା । ତେଣୁ ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଥିଲେ, ତାହା ବଳବତ୍ତର ରହିବ । ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ । ତେଣୁ ଏଭଳି କଠିନ ସମୟରେ ଧୈର୍ଯ୍ୟ ଦେଖାଇବା ନିହାତି ଜରୁରୀ । ପୂଜା କମିଟିର ଆବେଗକୁ ଆମେ ହୃଦୟଙ୍ଗମ କରିଥିଲୁ । ଯାହା ପରେ ସରକାର ନିଷ୍ପତ୍ତି ନେଲେ ଯେ, ଏ ବର୍ଷ ମଧ୍ୟ ନିରାଡମ୍ବର ଭାବେ ପୂଜା ପାଳନ କରାଯିବ ବୋଲି ଏସଆରସି କହିଛନ୍ତି । ସେହିପରି ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅଛି । ଏଥିପାଇଁ ସମସ୍ତଙ୍କୁ କୋଭିଡ୍ ଗାଇଡଲାଇନ ମାନି ନୂଆଁଖାଇ ପାଳନ କରିବାକୁ ଅପିଲ୍ କରିଛନ୍ତି ଏସଆରସି । ନୂଆଁଖାଇରେ ମନ୍ଦିର ପରିସର ଭିତରେ ଭିଡ଼ ନକରିବାକୁ ମଧ୍ୟ ଏସଆରସି ଶ୍ରୀ ଜେନା ଆହ୍ୱାନ ଦେଇଛନ୍ତି । ଏହାସହ ନିଜ ପରିବାର, ଗାଁ, ଜିଲ୍ଲ ଓ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ କୁହାଯାଇଛି । ଏହି ସମ୍ମିଳନୀରେ ଏସଆରସି କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରି ଏପର୍ଯ୍ୟନ୍ତ ଶେଷ ହୋଇନି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନାର ପ୍ରଭାବ ବୃଦ୍ଧି ପାଇଛି । କେରଳରେ ଏବେ ଦୈନିକ ସଂକ୍ରମଣ ୩୦ହଜାରରୁ ଉପରେ ରହୁଛି । ସେଠାରେ ଓନାମ ପର୍ବର ପରବର୍ତ୍ତୀ ସମୟରେ ପୁଣି ସଂକ୍ରମଣ ବଢ଼ିଛି । ତେଣୁ ଓନାମ ଓ କୁମ୍ଭମେଳାରୁ ଆମକୁ ବହୁତ କିଛି ଶିଖିବାର ଅଛି । କୌଣସି ପାର୍ବଣରେ ଭିଡ଼ ହିଁ ସଂକ୍ରମଣର ମୁଖ୍ୟ କାରଣ ତେଣୁ ନିଜେ ନିଜକୁ ବଞ୍ଚାଇବାକୁ ପଡ଼ିବ । ତେଣୁ ପାର୍ବଣ ପାଇଁ ଜନସାଧାରଣ ସଚେତନ ରହିବା ଉଚିତ ବୋଲି ସେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close