‘ବାଲେଶ୍ୱର ଆଲୟେଜ୍‌’ ଖଣି କର୍ତୃପକ୍ଷଙ୍କ ପୋଷ୍ୟ ଗ୍ରାମ ବରଗଜି ପ୍ରତି ଚରମ ଅବହେଳା, ପ୍ରତିଶୃତି ପାଳନରେ ନାହିଁ ଆନ୍ତରିକତା

କାଳିଆପାଣି, ୧୦/୧୦(ରବୀନ୍ଦ୍ର କୁମାର ଭଂଜଙ୍କ ଠାରୁ): ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅର୍ନ୍ତଗତ କାଳିଆପାଣି ଅଂଚଳରେ ରହିଛି ଭାରତର ୯୦ ପ୍ରତିଶତ କ୍ରୋମାଇଟ । ରାଜ୍ୟ ସରକାରଙ୍କ ଓଡ଼ିଶା ଖଣି ନିଗମ, ଇଡ଼କଲକୁ ଛାଡିଦେଲେ ଟିସ୍କୋ, ଜିନ୍ଦଲ, ଇମ୍ଫା, ବାଲେଶ୍ୱର ଆଲୟେଜ୍ ଆଦି ଘରୋଇ କମ୍ପାନିମାନେ ଏହି କ୍ରୋମ ଉପତ୍ୟକାରୁ ଖଣି ଖନନ କରି ରାଜ୍ୟ ଓ ଦେଶ ବାହାରକୁ ରପ୍ତାନି କରି ମାଲେମାଲ ହେଉଥିବା ବେଳେ ସୁକିନ୍ଦାର ଭୂମିପୁତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ଅଣକୁଶଳୀ ଶ୍ରମିକ ଭାବରେ କାମ ପାଇବାରେ ସମସ୍ୟା ଭୋଗୁଛନ୍ତି । ଇଡ଼କଲର ତଳଙ୍ଗୀରେ ଖଣି କାର୍ଯ୍ୟ ବନ୍ଦ ଥିବା ବେଳେ, ମିଶ୍ରିଲାଲ, ବି.ସି ମହାନ୍ତି ଆଣ୍ଡ ସନ୍ସ ଖଣି କାର୍ଯ୍ୟ କରୁନାହାନ୍ତି ।
ସୂଚନାଯୋଗ୍ୟ, ସୁକିନ୍ଦା ବ୍ଲକ୍‌ର ରାସୋଂଳ ଗ୍ରାମ ପଂଚାୟତର ବରଗୁଜି ଏକ ଶତ ପ୍ରତିଶତ ଆଦିବାସୀ ବହୁଳ ଗ୍ରାମ । ଏଠାରେ ୧୩୫ଟି ପରିବାର ବସବାସ କରନ୍ତି । ‘ବାଲେଶ୍ୱର ଆଲୟେଜ୍‌’ ଖଣି କର୍ତୃପକ୍ଷ ବରଗଜି ଗ୍ରାମକୁ ୨-୩ ବର୍ଷ ତଳେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲା । ସେତେବେଳେ ଖଣି କର୍ତୃପକ୍ଷ ପ୍ରତିଶୃତି ଦେଇଥିଲେ ଯେ, ଏହି ଗ୍ରାମରେ ସବୁ ପ୍ରକାରର ଉନ୍ନତି ଓ ବ୍ୟବସ୍ଥା କରିବେ । ପ୍ରତି ଘରକୁ ପାଇଖାନା ଯୋଗାଇ ଦେବେ । ଅଦ୍ୟାବଧି ଖଣି କର୍ତୃପକ୍ଷଙ୍କ ତରଫରୁ ଗ୍ରାମରେ ୧୦ରୁ ୧୫ ଟି ପାଇଖାନା ଗୃହ ନିର୍ମାଣ କରିଛି, ହେଲେ କାହାର ପାଇଖାନା ଟାଙ୍କି ନିର୍ମାଣ କରିନାହିଁ । ପାଇଖାନା ଗୃହଗୁଡିକ ଗଛ ଲତାରେ ଭରିଯାଇଛି । ଘର ଗୁଡିକ କେତେକାଂଶରେ ଭାଙ୍ଗି ଗଲାଣି । ଖଣି କର୍ତୃପକ୍ଷ କହିଥିଲେ ଗ୍ରାମରେ ଖେଳ ପଡିଆ କରିବେ । ହେଲେ ଆଜି ପର୍ଯ୍ୟନ୍ତ ଖେଳ ପଡିଆ କରିବାର ନାଁ ଗନ୍ଧ ନାହିଁ । ଗ୍ରାମରେ ପାନୀୟ ଜଳର ସୁବନ୍ଦୋବସ୍ଥ ସହ ଓଭରହେଡ ପାଣି ଟାଙ୍କି ନିର୍ମାଣ କରିବାକୁ ଖଣି କର୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । ହେଲେ ଏହି ପ୍ରତିଶୃତି ଏବେ ପାଣିର ଗାର ସଦୃଶ ହୋଇଛି । ଏହାଛଡ଼ା ଗ୍ରାମରେ ସବୁଜିମା କରିବା ପାଇଁ ବୃକ୍ଷରୋପଣ, ଶିଶୁ ଉଦ୍ୟାନ ନିର୍ମାଣ, କୋଠ ଘର ନିର୍ମାଣ, ରାସ୍ତା ନିର୍ମାଣ କରିବା ସହ ରାସ୍ତା ପାଶ୍ୱର୍ରେ ଆଲୋକ ବ୍ୟବସ୍ଥା କରିବା, ଗ୍ରାମର ୧୦ ଜଣ ଯୁବକ/ଯୁବତୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି କର୍ମନିଯୁକ୍ତି ଦେବା ଭଳି ବହୁ କଥା କହିଥିଲେ । ମାତ୍ର ବିଡମ୍ବନାର ବିଷୟ ‘ବାଲେଶ୍ୱର ଆଲୟେଜ୍‌’ ଖଣି କର୍ତୃପକ୍ଷ ଗ୍ରାମରେ କେବଳ ୧୦-୧୫ଟି ପାଇଖାନା ଅଧପନ୍ତରିଆ ଭାବେ ନିର୍ମାଣ କରି ଅନ୍ୟ ସମସ୍ତ ପ୍ରତିଶୃତି କଥାକୁ ବୋଧହୁଏ ଭୁଲି ଯାଇଛନ୍ତି । ଏଣେ ନିୟମିତ ଖଣି ଖନନ କରି ଓର ଉତୋଳନ ଓ ପରିବହନ କରିଚାଲିଛନ୍ତି । ଏହି ପ୍ରତିଶୃତିଗୁଡିକୁ ପାଳନ କରିବା ପାଇଁ ସ୍ଥାନୀୟ ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଂଜନ ଘଡ଼ାଇଙ୍କୁ ବହୁବାର ଗ୍ରାମର କେତେକ ଲୋକ ଫେରାଦ ହୋଇଛନ୍ତି । ବିଧାୟକ ଶ୍ରୀ ଘଡ଼ାଇ ଏହି କଥା ବୁଝିବେ ବୁଝିବେ ବୋଲି କହି ସମୟ ଗଡ଼ାଇ ଚାଲିଛନ୍ତି । ଜିଲ୍ଲା ପ୍ରଶାସନ ଓ ଉପରିସ୍ଥ ଅଧିକାରୀ, ସ୍ଥାନୀୟ ବିଧାୟକ ଆଦି ‘ବାଲେଶ୍ୱର ଆଲୟେଜ୍‌’ ଖଣି କର୍ତୃପକ୍ଷଙ୍କ ପ୍ରତିଶୃତି ପାଳନ ଦିଗରେ ଯତ୍ନଶୀଳ ପ୍ରଚେଷ୍ଟା କରିବାକୁ ବିଭିନ୍ନ ମହଲରେ ଦାବୀ ଉଠିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close