ଧର୍ମଶାଳାର ଡଙ୍କାରୀ ଓ ରାହାଡପୁର ପାହାଡ ନିଲାମ ନେଇ ଜନଶୁଣାଣୀରେ ବିଷୋଦ୍‌ଗାର କଲେ ବି.ଜେ.ଡି ନେତା

ଧର୍ମଶାଳା, ୨୫/୮: ଯାଜପୁର ଜିଲ୍ଲାର ଧର୍ମଶାଳାର ପାହାଡ ପର୍ବତ ହରିଲୁଟ ନେଇ ଜନ ଅସନ୍ତୋଷ ଦିନକୁ ଦିନ ବିସ୍ପୋରକ ମୋଡ ନେବାକୁ ଯାଉଛି । ଆଜି ଏହାର ଝଲକ ମହିସରା ପଂଚାୟତରେ ଅନୁଷ୍ଠିତ ଜନଶୁଣାଣୀରେ ସ୍ପଷ୍ଟ ବାରି ହୋଇଥିଲା । ଏହି ଜନଶୁଣାଣୀରେ ବହୁ ଲୋକ ପାହାଡ ନିଲାମକୁ ବିରୋଧ କରିଥିବା ବେଳେ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ବିଷୋଦଗାର ଏବଂ ପାହାଡ ନିଲାମ ବିରୋଧରେ ବର୍ଷିବା ସାଧାରଣରେ ମୁଖ୍ୟ ଆଲୋଚ୍ୟର ବିଷୟ ହୋଇଛି । ସତୀଶଙ୍କ ନୀତିଗତ ପ୍ରଶ୍ନବାଣ ପ୍ରଶାସନ ପାଇଁ ବଡ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବାର କୁହାଯାଉଛି ।
ଏଥିରେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚର ସଭାପତି ତଥା ବିଜେଡି ନେତା ସତୀଶ ବିଶ୍ୱାଳ ଅଭିଯୋଗ କରିଥିଲେ ଯେ, ପଥର ମାଫିଆଙ୍କ ଦୀଘର୍ଘ ଦିନର ପାର୍ଦୁଭାବ ଓ କରାୟତରେ ପୋଲିସ ଓ ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧିଥିବା ବେଳେ ସାଧାରଣ ଜନତା ମଧ୍ୟ ମୁହଁ ଖୋଲିବା କଷ୍ଟକର । ତେଣୁ ପ୍ରଶାସନ ତରଫରୁ ଜନଶୁଣାଣୀରେ ଲୋକଙ୍କ ମତ ଶୁଣିବାର ନାଟକ ଆଉ କରା ନ ଯାଉ । କରୋନା ବିପତି ସମୟରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ୱାର୍ଣ୍ଣିଂ ଜାରୀ ହୋଇଥିବା ବେଳେ, ନିକଟସ୍ଥ ଡଙ୍କାରୀରେ କରୋନା ବ୍ୟାପିଥିବା ବେଳେ ଏଭଳି ଜନଶୁଣାଣୀ କରିବା ବିଧି ସମ୍ମତ ନୁହେଁ । ସରକାର ଏବେ ହ୍ୱାଟସ ଅଫ ଓ ଇ-ମେଲରେ ଅଭିଯୋଗ ପଠାଇବାର ବ୍ୟବସ୍ଥା କରିଥିବାରୁ ସେହି ଆଧାରରେ ଲୋକଙ୍କ ଅଭିଯୋଗ ଲୋଡାଯାଉ । ଏହାସହ ଡାକରେ ମଧ୍ୟ ଅଭିଯୋଗ ପତ୍ର ମଗାଯାଉ । ଫଳରେ ଏହି ଅଂଚଳର ହଜାର ହଜାର ଅଭିଯୋଗ ପ୍ରଶାସନ ପାଇ ତା’ ଉପରେ ପଦକ୍ଷେପ ନେଇପାରିବେ । ନୋଚେତ୍ ଏଭଳି ଜନଶୁଣାଣୀ କେବଳ ପଥର ମାଫିଆଙ୍କ ଦ୍ୱାରା ପ୍ରାୟୋଜିତ ଜନଶୁଣାଣୀରେ ପରିଣତ ହୋଇଛି ବୋଲି କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ିବ! ଏ୍ରୀ ବିଶ୍ୱାଳ କହିଥିଲେ ଯେ, ନବୀନ ପଟ୍ଟନାୟକ ସରକାର ୫-ଟି, ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନରେ ବିଶ୍ୱାସ କରୁଥିବା ବେଳେ ଜିଲ୍ଲାର ନିଷ୍ଠାପର ପ୍ରଶାସନିକ ଅଧିକାରୀମାନେ ପଥର ମାଫିଆଙ୍କ ଚାପରେ ଚାପି ହୋଇ ଆଉ ଅଧିକ ଦିନ ସାଧାରଣ ଜନତା ଓ ସରକାରଙ୍କ ସ୍ୱାର୍ଥର ତଂଟି ଚିପି ଦିଅନ୍ତୁ ନାହିଁ । ଅତୀତରେ ପାହାଡ ଲିଜ ଅଂଚଳ ଏବଂ ଏହାର ସଂଲଗ୍ନ ଅଂଚଳରୁ କୋଟି କୋଟି ଟଙ୍କାର ପଥର ଲୁଟ ନେଇ ଅଦ୍ୟାବଧି ସରକାରଙ୍କ ବିଧି ବ୍ୟବସ୍ଥା ଅନୁସାରେ ନିଲାମ ନେଇଥିବା ଇଜିରାଦାରଙ୍କୁ ଦାୟୀ କରାଯାଇ ନାହିଁ । ୱାଗନ ହୋଲ ବ୍ଲାଷ୍ଟିଂର ପ୍ରଭାବରେ ପାଶ୍ୱବର୍ତୀ ଅଂଚଳରେ ମୃଦୁ ଭୂମିକମ୍ପ ହେଉଥିବା ବେଳେ ଲୋକଙ୍କ ଘର କାନ୍ଥ ମଧ୍ୟ ଫାଟି ଯାଉଛି । ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଏହାର ପ୍ରଚଣ୍ଡ ଶବ୍ଦରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ବନ୍ଦ କରିବାରେ ସରକାରଙ୍କ ନର୍ଦ୍ଦେଶକୁ ଦୀର୍ଘ ବର୍ଷ ବିତିଯାଇଥିଲେ ବି ଏଥିନେଇ ପୋଲିସ ପ୍ରଶାସନ ଗୋଟିଏ ହେଲେ ମାମଲା ରୁଜୁ କରିନାହିଁ । ରାଜ୍ୟର ସର୍ବୋଚ୍ଚ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଥିନେଇ ଆସିଥିବା ଶତାଧିକ ନିର୍ଦ୍ଦେଶକୁ ବରଂ ପ୍ରଶାସନ ମାଡି ବସିଛି । ଗୋଟିଏ ହେଲେ ଅଭିଯୋଗ ଉପରେ କୌଣସି ଆଖିଦୃର୍ଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଠାରେ ଭୂତଳ ଜଳ ପ୍ରଦୂଷିତ ହୋଇ ଲୋକେ ପୋକ ମାଛି ପରି ଆକ୍ରାନ୍ତ ହୋଇ ମୃତ୍ୟୁମୁଖକୁ ଟାଣିହେଉଛନ୍ତି । ପାହାଡ ଅଂଚଳର ସାମଗ୍ରିକ ବିକାଶ ପାଇଁ ଗୋଟିଏ ହେଲେ ଟଙ୍କା ଖର୍ଚ୍ଚ କରାଯାଉ ନାହିଁ । ୫୯ କୋଟି ଜରିମାନା ଘଟଣାରେ ସରକାରୀ କଳ କୋର୍ଟରେ ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଲଢେଇ କରୁନାହିଁ । ଜିଲ୍ଲାର ହାଇପାୱାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ ଏଠାରେ ସ୍ୱତନ୍ତ୍ର ଗେଟ ଏବଂ ସ୍ପେଶାଲ ଫୋର୍ସ ମୁତୟନ କରାଯାଉ ନାହିଁ । ସାଟେଲାଇଟ୍ ମାଧ୍ୟମରେ ପଥର ଖୋଳାର ଚିତ୍ର ବି ରଖାଯାଉ ନାହିଁ । ଅଧିକ ଖୋଳା ହୋଇଥିବା ପାହାଡରେ ମାଟି ଭର୍ତି କରି ସମତଳ କରାଯାଉ ନାହିଁ । କୋଟି କୋଟି ଟଙ୍କାର ଅଧିକ ପଥର ଖୋଳା ନେଇ ସରକାରଙ୍କ ରାଜସ୍ୱ ପାଇଁ ସଠିକ୍ ପରିମାଣର ଜରିମାନା ଆଦାୟ କରାଯାଉ ନାହିଁ । ଖଣ୍ଡିକିଆ ଗାଡି ମାଲିକଙ୍କୁ ଧରାଯାଉ ଥିବା ବେଳେ ବଡ ବଡ ଟ୍ରାନ୍ସପାର୍ଟରଙ୍କ ଗାଡିକୁ ଆଦୌ ଧରାଯାଉ ନାହିଁ । ପାହାଡ ନିକଟରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପଥର ମାଫିଆ ମାନେ ଅଚଳ କରି ରଖିଥିବା ବେଳେ ଏଥିନେଇ ଅଭିଯୋଗ ପରେ ହୋଇଥିବା ତଦନ୍ତକୁ ପଥର ମାଫିଆଙ୍କ ସ୍ୱାର୍ଥ ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ଚାପି ଦିଆ ଯାଇଛି । ଏହି ଅଂଚଳର କ୍ଷୁଦ୍ର କ୍ରସର ଏବଂ କମ୍ପ୍ରେସରଗୁଡିକୁ ବନ୍ଦ କରାଯିବାର ସଫଳ ଷଡଯନ୍ତ୍ର କରାଯାଇ ଥିବା ବେଳେ ଏଠିକାର ଲୋକେ ମଧ୍ୟ ଖାଦାନ ନିଲାମ ପାଆନ୍ତି ନାହିଁ । ଏହି ଅଂଚର ପାହାଡ ଗୋଟିକ ପରେ ଗୋଟିଏ ମାଟିରେ ମିଶୁ ଥିବା ବେଳେ ଅଂଚଳର ସାମଗ୍ରିକ ବିକାଶ ହେଉ ନାହିଁ । ଉଦ୍ଦେଶ୍ୟମୂଳକ ଭାବେ ଦେଶର ସର୍ବ ବୃହତମ ତୈଳ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ରୋକା ଯାଇଛି । ଏହି ପ୍ରକଳ୍ପ ଅଂଚଳରେ ପଥର ବ୍ଲାଷ୍ଟିଂ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନାମାକୁ ଦୀର୍ଘଦିନ ଧରି ଚାପି ରଖି ଏଠାରେ ପାହାଡ ବ୍ଲାଷ୍ଟି ଚାଲିଥିଲା । ଏପରିକି ଆଜି ଜନଶୁଣାଣୀ ହେଉଥିବା ବେଳେ ଦୀର୍ଘଦିନ ହେବ ଏଠାରେ ବିନା ପରିବେଶ ମଂଜୁରୀ ଏବଂ ମାଇନିଂ ପ୍ଲାନରେ କିଭଳି ପଥର ବ୍ଲାଷ୍ଟି ଚାଲିଛି ଆଦି ବହୁ ପ୍ରଶ୍ନ ନେଇ ପ୍ରଶାସନ ପ୍ରଥମେ ଜବାବ ରଖିବାକୁ ସତୀଶ ଦାବି କରିଥିଲେ । ଆଙ୍ଗୁଠି ଗଣତି କିଛି ଲୋକଙ୍କୁ କୋଟି କୋଟି ଟଙ୍କାର ମୁନାଫା ଦେବାକୁ ପ୍ରଶାସନ ଆଉ ଅଧିକ ଦିନ ଏଠାରେ ଜନ ପ୍ରିୟ ନବୀନ ପଟ୍ଟନାୟକ ସରକାରଙ୍କୁ ଜନବିରୋଧୀ କରିବା ସହ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ନ କରୁ ବୋଲି ମତ ରଖିବା ବେଳେ ଉପସ୍ଥିତ ଲୋକମାନେ ସମର୍ଥନ ଜଣାଇଥିଲେ । ଏଥିରେ ମଧ୍ୟ ବି.ଜେ.ପି ନେତା ସର୍ବେଶ୍ୱର ବେହେରା ମତ ରଖି ପାହାଡ ନିଲାମକୁ କଡା ବିରୋଧ କରିବା ସହ ସରକାରୀ କଳର କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ । ଜନଶୁଣାଣୀରେ ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ, ଧର୍ମଶାଳା ତହସିଲଦାର ଏବଂ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close