ଯାଜପୁରରୋଡରେ ପୁଣି ଏକ ରେଳ ଦୁର୍ଘଟଣା; ୦୬ ଶ୍ରମିକ ମୃତ, ସମସ୍ତ ମୃତ ଶ୍ରମିକ କୋରେଇ ଅଂଚଳର, ୦୨ ଗୁରୁତର, ଗୁରୁତରଙ୍କୁ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର

ଯାଜପୁରରୋଡ଼, ୦୭ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ବୁଧବାର ଅପରାହ୍ନ ପ୍ରାୟ ୪ଟା ୧୦ମି ପାଖାପାଖି ସମୟରେ ଏଠାରେ ଅଚାନକ ଆସିଯାଇଥିଲା କାଳବୈଶାଖି ଝଡ଼ ବର୍ଷା । ଆଉ ଏହି ଝଡ଼ ବର୍ଷା ୦୮ ଜଣ ଦୀନ ମଜୁରିଆ ଶ୍ରମିକମାନଙ୍କ ପାଇଁ କାଳ ସାଜିଥିଲା । ପ୍ରବଳ ଖରା ଓ ଗୁଳୁଗୁଳିରେ ଜନୈକ ରେଳବାଇ ଠିକାଦାରଙ୍କ ଅଧିନରେ ରେଳଧାରଣା କଡ଼ରେ ବୋଲଡ଼ର ପଥର ଖେଳାଇବା ଓ ବିଛାଇବା ଭଳି କଠିନ କାମ କରୁଥିବା ୦୮ ଜଣ ଶ୍ରମିକ ଥକି ଯାଇ ଖାଇ ସାରି ଯାଜପୁରରୋଡ଼-କେଉଁଝର ରୋଡ଼ ରେଳ ଷ୍ଟେସନର ଅନତି ଦୂର ପ୍ରାୟ ୩୦୦ରୁ ୪୦୦ ମିଟର ଦୂର ଚୂନଭାଟି-ପନାସିଆ ଠାରେ ଲୁପ ଲାଇନରେ ଦୀର୍ଘ ବର୍ଷରୁ ଠିଆ ହୋଇଥିବା ଏକ ପରିତ୍ୟକ୍ତ ଇଞ୍ଜିନ ବିହୀନ ୧୮ ଡ଼ବା ବିଶିଷ୍ଟ ଟ୍ରେନର ୱାଗନ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ହଠାତ୍ ଆସିଯାଇଥିଲା କାଳବୈଶାଖି । ପ୍ରବଳ ପବନ ସାଙ୍ଗକୁ ଯୋରରେ ବର୍ଷା ବି ହୋଇଥିଲା । ଦୁର୍ଯ୍ୟୋଗକୁ ଏହି ଟ୍ରେନର ମଝିଆ ମଝି ସ୍ଥାନରେ ୦୨ଟି ବଗି ମଧ୍ୟରେ ଲକ୍ ଖୋଲିଯାଇଥିଲା । ହଠାତ୍ ଟ୍ରେନଟି ୦୨ ଭାଗ ହୋଇ ଗୋଟିଏ ଭାଗ ଯାଜପୁରରୋଡ଼-କେଉଁଝର ରୋଡ଼ ରେଳ ଷ୍ଟେସନ ଆଡକୁ ଗଡ଼ି ଥିବା ବେଳେ ଆଉ ଏକ ଫାଳ ଜଖପୁରା ଷ୍ଟେସନ ଆଡ଼କୁ ଗଡ଼ିଥିଲା । କାହିଁ କେଉଁ କାଳରୁ ଠିଆ ହୋଇଥିବା ଇଞ୍ଜିନ ବିହୀନ ଟ୍ରେନଟି କିଏ ଜାଣିଥିଲା ଜୀବନ୍ତ ହୋଇ ଗଡ଼ିବ ବୋଲି! ଏକଥାକୁ କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ଯେପରି କି ରେଳବାଇ ଉପରେ ବିପଦ ପରେ ବିପଦ ପଡ଼ିଛି । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ତ୍ରିକୋଣୀୟ ଭୟଙ୍କର ରେଳ ଦୁର୍ଘଟଣାରେ ସାରା ବିଶ୍ୱ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ ଓଡ଼ିଶା ସହ ସମଗ୍ର ଭାରତବର୍ଷ ସ୍ତବ୍ଧ ହୋଇଯାଇଛି । ଆଜି ଇଂଲଣ୍ଡର ଓଭାଲ ଠାରେ ଆରମ୍ଭ ହୋଇଥିବା ବିଶ୍ୱକପ ଟେଷ୍ଟ ଫାଇନାଲ ମ୍ୟାଚରେ ଆରମ୍ଭରେ ଏଥିପାଇଁ ଶୋକବ୍ୟକ୍ତ କରାଯାଇ ନୀରବ ପ୍ରାର୍ଥନା କରାଥିଲା । ପୁଣି ଗତକାଲି ଓଡ଼ିଶାର ବ୍ରହ୍ମପୁର ଷ୍ଟେସନ ଠାରେ ସିକନ୍‌ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବାତାନୁକୂଳ ବଗିରେ ସର୍ଟସର୍କିଟ ଜନିତ କାରଣରୁ ଧୂଆଁ ବାହାରିବାରୁ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ଅପରାହ୍ନରେ ପୁଣି ଯାଜପୁରରୋଡ଼ ଠାରେ ଏପରି ଅଘଟଣ । ଓଡ଼ିଶାରେ କାହିଁକି ଘଟିଚାଲିଛି ଏପରି ଘଟଣାମାନ । ମା’ କାଳୀଙ୍କୁ ରେଳବାଇ ପକ୍ଷରୁ କରାଯାଉନି ସନ୍ତୁଷ୍ଟ, କରାଯାଉନି କି ଠିକ୍ ଭାବେ କାଳୀପୂଜା । ଯାହାଫଳରେ କି ଲୈାହଦାନବ ରଚି ଚାଲିଛି ନରସଂହାରମାନ । କିଛି ଦିନ ତଳେ ଏକ ମାଲବାହୀ ଟ୍ରେନ ନିକଟସ୍ଥ କୋରାଇ ଷ୍ଟେସନ ପ୍ଲାଟଫର୍ମ ଉପରକୁ ଚଢ଼ିଯାଇ ନାହିଁ ନ ଥିବା କ୍ଷତି ଘଟାଇଥିବା ବେଳେ ବେତରଣୀରୋଡରେ ଘଟିଥିଲା ସମସ୍ୟା । କିଛି ଦିନ ପୂର୍ବେ ଯାଜପୁରରୋଡ଼ରେ ଧଉଳୀ ଏକ୍ସପ୍ରେସରେ ଯାତ୍ରୀ ଚଢ଼ିବା ବେଳେ ଘଟିଥିଲା ଅଘଟଣ ଓ ସୈାଭାଗ୍ୟକ୍ରମେ ଯାତ୍ରୀ ରକ୍ଷା ପାଇଥିଲେ । ଅଳ୍ପ କିଛି ଦିନ ତଳେ ଦୁଲାଖାପାଟଣା ରେଳବାଇ ବ୍ରିଜ୍ ନିକଟରେ ନୂଆକରି ଚାଲୁଥିବା କାଳବୈଶାଖିରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିବାରୁ ‘ବନ୍ଦେ ଭାରତ’ ଟ୍ରେନର ଡ଼ୋର ଲକ୍ ହୋଇଯିବା କାରଣରୁ ଅନ୍ଧାରରେ ଯାତ୍ରୀମାନେ ଭିତରେ ରହି ଭୟଭୀତ ହୋଇଯାଇଥିବା ବେଳେ କଟକର କାଠଯୋଡି ପି.ଏଚରେ କିଛି ମାସ ପୂର୍ବେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାହିଁକି ଘଟୁଛି ଓଡ଼ିଶାରେ ରୀତିମତ ଟ୍ରେନ ଦୁର୍ଘଟଣା! ଗତକାଲି ରାତ୍ରୀରେ ମଧ୍ୟପ୍ରଦେଶର ଜବଲପୁର ନିକଟରେ ଏକ ମାଲବାହୀ ଗୁରୁତ୍ୱପୂର୍ଣ୍ଣ ଏଲ.ପି ଗ୍ୟାସ ପରିବହନ କରୁଥିବା ଟ୍ରେନ ଲାଇନଚ୍ୟୁତ ବି ହୋଇଛି! ଏତେ ବଡ଼ ଦେଶ, ପୃଥିବୀର ସର୍ବବୃହତ୍ ଜନସଂଖ୍ୟା ବିଶିଷ୍ଟ ଦେଶ ଆମ ଭାରତରେ ରେଳ ହେଉଛି ଲାଇଫ୍‌ଲାଇନ । ଯେତେ କହିଲେ ବି ରେଳକୁ ଛାଡ଼ିପାରିବା ନାହିଁ । ଯେଉଁ ରେଳ ଯାତ୍ରାକୁ ସବୁଠୁ ନିରାପଦ ବୋଲି ବିବେଚନା କରାଯାଉଥିଲା କାହିଁକି କିଛି ମାସ ମଧ୍ୟରେ ଏହା ଭୟର ଯାତ୍ରା ବୋଲି ପରିଣତ ହୋଇଛି !
       ଆଜି ଅପରାହ୍ନରେ ଯାଜପୁରରୋଡ଼-କେଉଁଝର ରୋଡ଼ ରେଳ ଷ୍ଟେସନ ନିକଟରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ବିଭିନ୍ନ ଅଭିଯୋଗ ଉଠିଛି । ସ୍ଥାନୀୟ ଭାଜପାର ବରିଷ୍ଠ ନେତା ସମାଜସେବୀ ନିରଞ୍ଜନ ଘଡ଼ାଇ ଅଭିଯୋଗ କରିଛନ୍ତି ଯେ, ଏପରି ବେପରୁଆ ଭାବେ କାହିଁକି ଏଠାରେ ଟ୍ରେନଟିକୁ ଦୀର୍ଘଦିନ ଧରି ରଖାଯାଇଥିଲା । ଯାଜପୁରରୋଡ ରେଳ ଡିଭିଜନର ଉଦ୍ୟୋକ୍ତା ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣା ପାଇଁ ରେଳବାଇ ଓ ସ୍ଥାନୀୟ ସମସ୍ୟକୁ ଦାୟୀ କରିଛନ୍ତି । ଯଦି ଟ୍ରେନଟିର ଉଭୟ ଶେଷ ଭାଗରେ ଲୁହାର ଶକ୍ତ ଜାମ୍ ଦିଆଯାଇଥାନ୍ତା ତାହାଲେ ଲକ୍ ଖୋଲିଯାଇଥିଲେ ବି ଆଜି ଭଳି ଅଘଟଣ ହୋଇ ନ ଥାନ୍ତା । ଏହି ଅପରିତ୍ୟକ୍ତ ଟ୍ରେନଟି ଦୀର୍ଘ ଦିନ ଧରି ଏଠାରେ ଠିଆ ହେବା ଦ୍ୱାରା ସ୍ଥାନୀୟ ଅଂଚଳର କିଛି ଅସାମାଜିକ ବ୍ୟକ୍ତି ଟ୍ରେନରୁ ଲୁହାଲତା କାଟି ନେଇ ବିକ୍ରି କରୁଛନ୍ତି, ଯାହା ଫଳରେ କି ଟ୍ରେନଟି ଦିନକୁ ଦିନ ଭାଙ୍ଗିରୁଜି ଯାଉଛି । ଏହି ଟ୍ରେନ ତଳେ କେତେ ଅସାମାଜିକ କାର୍ଯ୍ୟକଳାପ ଚାଲୁଛି । ମଦ, ଗଂଜେଇର ଆସର ଜମୁଛି । ଟିକ୍‌ଟକ୍ ଭିଡ଼ିଓ ଆଦି ତିଆରି ହେଉଛି । ଛୁଆମାନେ ଏଠାରେ ଖେଳୁଛନ୍ତି ଓ ଏହା ଉପରେ ବସୁଛନ୍ତି । ରେଳବାଇ ଠିକାଦାର ଏଠାରେ ଫେରୋକ୍ରୋମ ବନ୍ଧକୁ ଭାଙ୍ଗି ଲକ୍ଷ ଲକ୍ଷ ଟ୍ରିପ୍ ମୋହରମ ଅନାୟସରେ ଚାଲାଣ କରିଦେଲା । ଅଧିକାଂଶ ଦିନ ରାତ୍ରୀ ୧୨ଟା ପରେ ଆରମ୍ଭ ହେଉଛି ଜେସିବି/ ପ୍ରୋକ୍‌ଲିନର ଗର୍ଜ୍ଜନ । ମୋହରମ ରୀତିମତ ତଢ଼ାହୋଇ ଭଲ ଦରରେ ବିକ୍ରିକରି ମାଫିଆମାନେ ମାଲେମାଲ ହେଉଥିବା ବେଳେ ପୋଲିସ, ତହସିଲ, ରେଳବାଇ କର୍ତୃପକ୍ଷ ମାଲ ଖାଇ ଚୁପ୍ ରହିବା ଅନେକଙ୍କୁ ତାଜୁବ୍ କରିଛି । ଯାଜପୁରରୋଡ଼ର ସାଇ ମନ୍ଦିର ଗେଟ୍ ଠାରୁ ଜଖପୁରା ପର୍ଯ୍ୟନ୍ତ ଅଂଚଳଟି ଚୋର, ମାଫିଆଙ୍କ କବ୍ଚାକୁ ଏକପ୍ରକାରର ଚାଲିଯାଇଛି । ରେଳବାଇ ଠିକାଦାରମାନେ ଚୋରୀକୁ ଉସୁକାଇବା ସହ ଖୁବ୍ ନିମ୍ନମାନର କାମ କରିଚାଲିଛନ୍ତି ବୋଲି ଶ୍ରୀ ରାଉତ ଅଭିଯୋଗ କରିଛନ୍ତି । ଏସବୁର ସି.ବି.ଆଇ ତଦନ୍ତ କରିବାକୁ ସେ ଦାବୀ କରିଛନ୍ତି ।
      ଆଜିର ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୦୬ଜଣ ଯାକ ଶ୍ରମିକ ପାଖ କୋରେଇ ଅଂଚଳର ବୋଲି ଜଣାପଡ଼ିଛି । ସେମାନେ ହେଲେ କୋରେଇ ବୈତରଣୀରୋଡ଼ ନିକଟବର୍ତୀ ଗମ୍ଭାରିଆ ଗ୍ରାମର ଗୈାତମ ସାମଲ ଓ ମାନସ ସାମଲ, ବାଲିଆପାଳ ଗ୍ରାମର ସୁଶାନ୍ତ ଜେନା ଓ ପ୍ରଶାନ୍ତ ଜେନା, ଓଷାଳା ଗ୍ରାମର ଭୀମସେନ ଜେନା ଓ ଦୋଳଗୋବିନ୍ଦ ପ୍ରଧାନ । ୦୨ ଗୁରୁତରମାନେ ହେଲେ ନବଘନ ବାରିକ ଓ ଅମର ବାରିକ । ସେ ଦୁହେଁ ନିକଟସ୍ଥ ଭଦ୍ରଖ ଜିଲ୍ଲା ଭଣ୍ଡାରୀପୋଖରୀ ଅଂଚଳର ବୋଲି କୁହାଯାଉଛି । ଘଟଣାପରେ ଅଂଚଳଟି ଲୋକାରଣ୍ୟ ହୋଇଯିବାରୁ ପୋଲିସ ଘଟଣାସ୍ଥଳ ଅଂଚଳକୁ ସିଲ କରିଦେଇଥିଲା । ଶେଷ ମୃତ ଦେହଟିକୁ ଜେସିବି ଲଗାଇ ବହୁ କଷ୍ଟରେ ବାହାର କରାଯାଇଛି । ଗୁରୁତରଙ୍କୁ କଟକର ଶ୍ରୀରାମ ଚନ୍ଦ୍ର ଭଂଜ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଶବ ଗୁଡିକୁ ଯାଜପୁରରୋଡ଼ ମେଡ଼ିକାଲରେ ରଖାଯାଇଛି । ଘଟଣାସ୍ଥଳରେ ଯାଜପୁର ଏସ.ପି ଭିନୀତ୍ ଅଗ୍ରୱାଲ, ଡି.ଏସ.ପି ସଂଗ୍ରାମ ପଟ୍ଟନାୟକ, ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ଆର.ପି.ଏଫ୍ ଇନିସ୍‌ପେକ୍ଟର ପ୍ରବୀଣ କୁମାର, ଜିଆରପି ଅଧିକାରୀ ପପୁ କୁମାର, ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝୀଙ୍କ ସହ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ଆରପିଏଫ ଓ ଜିଆରପି ପୋଲିସ, ରେଳ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଘଟଣାର ଛାନଭିନ କରୁଛନ୍ତି ।   

     

     ରାଜ୍ୟ ସୂଚନା ଓ ଲୋକ ସଂର୍ପକ ବିଭାଗ ଦ୍ୱାରା ଜାରୀ ତଥ୍ୟ ଅନୁଯାୟୀ ଏହି ଅଘଟଣ ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଅବିଳମ୍ବେ ମୃତ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଳିଫ୍ ପାଂଠିରୁ ୦୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । କୋରାଇର ପୂର୍ବତନ ବିଧାୟକ ତଥା ମୋ’ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶଦାସ ନାୟକ ଏହି ଘଟଣାରେ ମର୍ମାହତ ହେବା ସହ କାହାର ଦାୟିତ୍ୱହୀନତା ଯୋଗୁ ଏପରି ଅଘଟଣ ଘଟିଲା ତା’ର ତଦନ୍ତ ଦାବୀ କରିଛନ୍ତି ।  ରେଳବାଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଘଟଣାର ପ୍ରକୃତ କାରଣ ସହ ଦାୟିତ୍ୱହୀନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆଶା ରଖିଛନ୍ତି ଅନେକ ଅଂଳବାସୀ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close