୦୩ ଦିନିଆ ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ ତାଲିମ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, ୨୬/୦୫(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ପି.ଏମ.ଜି ଛକ ନିକଟସ୍ଥ ‘ରେଡ଼କ୍ରସ ଭବନ’ ଠାରେ ଚାଲିଥିବା ୦୩ ଦିନିଆ ରାଜ୍ୟ ସ୍ତରୀୟ ଯୁବ ରେଡ଼କ୍ରସ ତାଲିମ ଶିବିର ଗତ କାଲି ଶୁକ୍ରବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ. ରମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି କହିଥିଲେ ଯେ, ରେଡ଼କ୍ରସ କାଉନସେଲରମାନଙ୍କ ସେବା ଓ ତ୍ୟାଗ ବଳରେ ଏହି ଅନୁଷ୍ଠାନ ରାଜ୍ୟରେ ଏକ ପ୍ରମୁଖ ଅନୁଷ୍ଠାନ ଭାବେ ନିଜର ନାମକୁ ଟେକ ରଖିପାରିବ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ୟାଇଆରସିର ଅର୍ଥ ଅଧିକାରୀ ଭବାନୀ ଶଙ୍କର ନନ୍ଦ ଯୋଗ ଦେଇ କହିଥିଲେ ଯେ, ଯେତେ ସମସ୍ୟା ଆସିଲେ ମଧ୍ୟ ରେଡ଼କ୍ରସ କାଉନସେଲରମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସଂକଳ୍ପ ନେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଉତ୍ସବରେ ସମ୍ମାନିତ ଅତିଥିଭାବେ ରାଜ୍ୟ ସଂଯୋଜକ ପ୍ରଫେସର ଗୋପାଳକୃଷ୍ଣ ମିଶ୍ର ଭାଗ ନେଇ କହିଥିଲେ ଯେ, ରାଜ୍ୟର ବିଭିନ୍ନ କଲେଜମାନଙ୍କରେ ଚାଲିଥିବା ଏହି ଯୋଜନାର ସଫଳ ରୂପାୟନ ପାଇଁ କାଗଜାଦିର ଉତରଦାୟୀ ରକ୍ଷଣାବେକ୍ଷଣ ସାଧୂତାର ସହ ସଂପାଦନ ପାଇଁ ଗୁରୁତ୍ୱ ଦେବା ସଂଗେ ସଂଗେ ରାଜ୍ୟରେ ଯୁବ ରେଡ଼କ୍ରସର ଭିତିଭୂମିକୁ ସୁଦୃଢ଼ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଜୁନିୟର ରେଡ଼କ୍ରସର ରାଜ୍ୟ ସଂପାଦକ ଲକ୍ଷ୍ମଣ ସ୍ୱାଇଁ ଏଥିରେ ଅଂଶଗ୍ରହଣ କରି କହିଥିଲେ ଯେ, କେବଳ ତାଲିମ ନେଇ ନିଜ ନିଜର ଦାୟିତ୍ୱ ସାରିଦେଲେ ଚଳିବ ନାହିଁ, ବରଂ ଏହାର କଳେବରକୁ କିପରି ବୃଦ୍ଧି କରିବା ସହ ଏଠାରୁ ପାଇଥିବା ନିଜର ଜ୍ଞାନକୁ କାର୍ଯ୍ୟରେ ପ୍ରତିଫଳିତ କରିପାରିଲେ ଏହି ରାଜ୍ୟ ସ୍ତରୀୟ ତାଲିମ ଶିବିରର ଅସଲ ଉଦ୍ଦେଶ୍ୟ ସାଧିତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ସକାଳ ଅଧିବେଶନରେ ରାଜ୍ୟ ପରିବହନ ବିଭାଗର ଯୁଗ୍ମ ଆୟୁକ୍ତ ସଂଜୟ କୁମାର ବିଶ୍ୱାଳ ଯୋଗ ଦେଇ ଶିବିରାର୍ଥିମାନଙ୍କୁ ସଡ଼କ ସୁରକ୍ଷାରେ ଯୁବ ରେଡ଼କ୍ରସ କାଉନସେଲରମାନଙ୍କ ଭୂମିକା ସଂର୍ପକରେ ବିଶଦ ଆଲୋଚନା କରି ଏହା ଉପରେ ସଚେତନାଧର୍ମୀ ଟେଲି ଫିଲ୍ମମାନ ପ୍ରଦର୍ଶନ କରିଥିଲେ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟିର ସଂଯୋଜକ ସତ୍ୟବ୍ରତ ପାଢ଼ୀ ଏଥିରେ ଭାଗ ନେଇ ବିପର୍ଯ୍ୟୟ ସମୟରେ ଯୁବ ରେଡ଼କ୍ରସ କାଉନସେଲରମାନଙ୍କ ଗୁରୁ ଦାୟିତ୍ୱକୁ ସଠିକ ସମୟରେ ସଂପାଦନ କରି ସାଧାରଣ ଜନତାଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପ୍ରଂଶସାର ପାତ୍ର ହେବା ସଂଗେ ସଂଗେ ସଂସ୍ଥାର ସୁନାମକୁ ବଜାୟ ରଖିବାକୁ ଅନୁରୋଧ କରିଥିଲେ । ରକ୍ତଦାନର ମହତ ଉଦ୍ଦେଶ୍ୟ ସଂର୍ପକରେ ଆଲୋଚନା କରି ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ ଭବନର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଗୁଲସନ କୁମାର ଦାସ କହିଥିଲେ କଲେଜମାନଙ୍କରେ ରକ୍ତଦାନ ସଂର୍ପକରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତେ ଆଗଭର ହେବା ଉଚିତ ।
      ଏହି ୦୩ ଦିନିଆ ତାଲିମ ଶିବିରରେ ଓଡ଼ିଶାର ୪୦ଟି ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରି ତାଲିମ ନେବା ସହ ତାଲିମ ଶିବିରରେ ନିଜର ଅଭିଜ୍ଞତା ପ୍ରକାଶ କରି କାର୍ଯ୍ୟକ୍ରମର ଆୟୋଜନରେ ସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟକ୍ରମର ଅନୁଭୂତି ଯୁବ ରେଡ଼କ୍ରସ କାଉନସେଲରମାନଙ୍କ ସଠିକ ମାର୍ଗଦର୍ଶନରେ ସହାୟକ ହେବ ବୋଲି କହିଛନ୍ତି । ଏଥିରେ ଯାଜପୁର ଜିଲ୍ଲାର ଝାଡ଼େଶ୍ୱର ମହାବିଦ୍ୟାଳୟରୁ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଏହି ଶିବିରରେ ଯୋଗଦାନ କରି ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରି କହିଥିଲେ ଯେ, ସେବା, ତ୍ୟାଗ ଓ ସଂକଳ୍ପ ମାଧ୍ୟମରେ ଏହାର କାର୍ଯ୍ୟପନ୍ଥା ଆହୁରି ସୁଦୂରପ୍ରସାରୀ ହୋଇପାରିବ । ଢ଼େଙ୍କାନାଳ ବାଜିରାଉତ ମେମୋରିଆଲ କଲେଜରୁ ପ୍ରଭାତ ଜେନା ପ୍ରତିନିଧିତ୍ୱ କରିଥିବା ବେଳେ ତାଳଚେର କଲେଜରୁ ଡ଼ଃ. ଅସ୍ମିତା ଜେନା, ଅନଗୁଳ ମହିଳା ମହାବିଦ୍ୟାଳୟର ସ୍ୱଚ୍ଛ ସଲିଳା ମହାପାତ୍ର, କେଉଁଝରର ଝାଡ଼ବେଲଦା ସ୍ଥିତ ସନ୍ତୋଷୀମା ରିଜିଓନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ମନୀଷ କୁମାର ନନ୍ଦ, ଯାଜପୁର ଜିଲ୍ଲା ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରୁ ଚକ୍ରଧର ନାୟକ, ଶାଳପଡ଼ା ସ୍ଥିତ ମହାପୁରୁଷ ବନମାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନୂପମା ପ୍ରଧାନ, ଅନଗୁଳ ଜିଲ୍ଲା ଷୋଳପଡ଼ା ଡ଼ିଗ୍ରୀ କଲେଜରୁ ସରୋଜ କୁମାର ପ୍ରଧାନ, ପୁରୀ ଜିଲ୍ଲା ଡ଼େଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁମନ୍ତ ତରାଇ ପ୍ରମୁଖ ଯୋଗ ଏଥିରେ ଯୋଗଦେଇଥିଲେ । ଶିବିର ପରିଚାଳନାରେ ରେଡ଼କ୍ରସ ଭବନର କର୍ମଚାରୀ ଜ୍ଞାନରଂଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସି ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିନିଧିମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ବଂଟନ କରିଥିଲେ ।


Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close