ସୁକିନ୍ଦା ଖଣି ଶ୍ରମିକଙ୍କ ହକ୍‌ରେ ମାୟାଧରଙ୍କ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମାସ୍ତ୍ର ପ୍ରୟୋଗ

ବ୍ୟାସନଗର, ୯/୧୨: ଏସିଆ ମହାଦେଶର କ୍ରୋମ୍ ରାଜଧାନୀ ସୁକିନ୍ଦା । ଓଡିଶା ଖଣି ନିଗମର କଲରଙ୍ଗୀ କ୍ରୋମାଇଟ୍ ଖଣି ଶ୍ରମିକ ଆଜି ବି ବ୍ୟଥା ବେଦନାରେ କାନ୍ଦୁଛି । ଯେଉଁ ସୁକିନ୍ଦା ଉପତ୍ୟକାରେ ମାଳ ମାଳ କ୍ରୋମାଇଟ୍ ଖଣିରୁ ଉତ୍ପାଦିତ କ୍ରୋମ୍ ପଥର ସାରା ବିଶ୍ୱର ୨୩ଟି ଦେଶ ସମେତ ଭାରତ, ଓଡିଶାର ରାଜକୋଷକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଉଛି – ଯେଉଁମାନେ ଏହି ମାଲିକମାନଙ୍କ ରାଜକୋଷକୁ ଭର୍ତି କରିବା ପାଇଁ ରକତକୁ ପାଣି କରି ରାତିଦିନ ଖଟି ଚାଲୁଛନ୍ତି ସେମାନଙ୍କ ବ୍ୟଥା, ବେଦନା, ଦୁଃଖ କ’ଣ କେହି ଶୁଣିବେନି ? ୨୦୦୧ ନଭେମ୍ବର ପହିଲାରୁ ଦୀର୍ଘ ୨୧ବର୍ଷ ଧରି ଖଣି କାମରୁ ଶ୍ରମିକମାନଙ୍କୁ ବନ୍ଦ କରାଯାଇଛି । ଏପର୍ଯ୍ୟନ୍ତ ସେମାନଙ୍କ ହକ୍ ପ୍ରାପ୍ୟ ୫୦ କୋଟି ଟଙ୍କା ଖଣି ନିଗମ ଦେବାରେ ନାଁ ଗନ୍ଧ ଧରୁନାହିଁ । ନିର୍ଯାତିତ, ନିଷ୍ପେସିତ, ଅବହେଳିତ, ଶାସନକଳର ଷଡଯନ୍ତ୍ରର ଶିକାର ଓଡିଶା ଖଣି ନିଗମର କଲରଙ୍ଗୀ କ୍ରୋମାଇଟ୍ ଖଣି ଶ୍ରମିକଙ୍କ ପାଇଁ ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ ବ୍ରାହ୍ମାସ୍ତ୍ର ପ୍ରୟୋଗ କରିବେ ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଶ୍ରୀ ନାୟକ କହିଲେ – ଦୈତାରୀ ଖଣିରେ ବାଘ ମଲା – କଲରଙ୍ଗୀରେ ବାଘ ମରିଛି ବୋଲି କହି ଓ.ଏମ୍‌.ସି. ଅଫିସର ଜଣେ ରାଜନେତାଙ୍କ ପ୍ରରୋଚନାରେ ଜଙ୍ଗଲ ଓ ପରିବେଶ ବିଭାଗକୁ ସୁପାରିଶ୍ କଲେ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ବଳରେ କଲରଙ୍ଗୀ ଖଣିରେ ୧୯୯୮ ମସିହାରେ ଖଣିଖନନ ସ୍ଥଗିତ ରଖିବାକୁ ସରକାରୀ ନିଷ୍ପତି ନିଆଗଲା । ଫଳରେ ପାଖାପାଖି ୭୦୦ ଖଣି ଶ୍ରମିକ ବସିରହିଲେ । ଶ୍ରମିକମାନଙ୍କର କୌଣସି ଦୋଷ ନଥିବାରୁ ସେତେବେଳେ ସୁକିନ୍ଦା ଉପତ୍ୟକା ମାଇନ୍ସ୍ ୱାର୍କରର୍ସ ୟୁନିୟନ ପକ୍ଷରୁ ଦୃଢ ଯୁକ୍ତି ଉପସ୍ଥାପନ କରାଗଲା । ଓଡିଶା ଖଣି ନିଗମ ବିନା କାମରେ ଶ୍ରମିକମାନଙ୍କୁ ୩ ବର୍ଷ ଧରି ଦରମା ଦେବାକୁ ବାଧ୍ୟ ହେଲେ । ଓ.ଏମ୍‌.ସି. ପୁନଶ୍ଚ ଦମନମୂଳକ କାର୍ଯ୍ୟ ଆରମ୍ଭ କରି ଖଣିଶ୍ରମିକମାନଙ୍କୁ ପ୍ରାୟ ୧୫୦ କିଲୋମିଟର ଦୂର ବଡବିଲ୍ ଜୋନ୍‌କୁ ବଦଳି କଲେ । ୟୁନିୟନ୍ ପକ୍ଷରୁ ହାଇକୋର୍ଟରେ ମକଦ୍ଦମା କରାଗଲା । ମାନ୍ୟବର ହାଇକୋର୍ଟଙ୍କ ରାୟରେ ନିୟମାନୁଯାୟୀ ଖଣିଶ୍ରମିକମାନଙ୍କୁ ୮ କିଲୋମିଟର ଦୂର ପର୍ଯ୍ୟନ୍ତ ବଦଳି କରାଯାଇପାରିବ ବୋଲି କୁହାଗଲା । ଅର୍ଥାତ୍ ଖଣି ନିଗମ ଆଦେଶ ବେଆଇନ୍ ବୋଲି ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଲା । କିନ୍ତୁ ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ଓ.ଏମ୍‌୍‌.ସି. ବେଖାତିର କଲେ । କୌଣସି ଶ୍ରମିକ ବଦଳି ସ୍ଥାନକୁ ଗଲେ ନାହିଁ । ୨୦୦୧ ନଭେମ୍ବର ପହିଲାରେ ଇର୍ଷାପ୍ରଣୋଦିତ ହୋଇ ଖଣି ନିଗମ ୩ ବର୍ଷ ଧରି ଦେଇଆସୁଥିବା ମାସିକ ମଜୁରୀ / ଦରମା ଅଚାନକ ବନ୍ଦ କରିଦେଲେ । ଖଣି ବନ୍ଦ ନୋଟିସ୍ ଦେଇନାହାଁନ୍ତି । ଏହା ବିରୁଦ୍ଧରେ ୟୁନିୟନ ପକ୍ଷରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲାରୁ ମନ୍ତ୍ରଣାଳୟ ଛ’ମାସ ଭିତରେ ଖଣି ଖୋଲି ଶ୍ରମିକମାନଙ୍କୁ କାମଦେବାକୁ ଓ.ଏମ୍‌.ସି.କୁ ଆଦେଶ ଦେଲେ । ଏଥିରେ ମଧ୍ୟ ଓ.ଏମ୍‌.ସି. କର୍ଣ୍ଣପାତ କଲେନାହିଁ । ରାଜ୍ୟପାଳଙ୍କ ଠାରେ ମଧ୍ୟ ୟୁନିୟନ ପକ୍ଷରୁ ଆପତି ଅଭିଯୋଗ କରାଗଲା । ରାଜଧାନୀରେ ଖଣିଶ୍ରମିକମାନେ ଧାରଣା ଦେଲେ । କେହି ଶୁଣିଲେନି । ୨୧ ବର୍ଷ ହେଲା କେତେ ଆନ୍ଦୋଳନ, ବିକ୍ଷୋଭ, କାକୁତିମିନତି କରି ମଧ୍ୟ ଏ ପର୍ଯ୍ୟନ୍ତ ଖଣି ଖୋଲିନି । ଖଣି ଶ୍ରମିକମାନେ ମାସକୁ ହାରାହାରି ୧୭ ଲକ୍ଷ ଟଙ୍କା ମଜୁରୀ / ଦରମା ପାଉଥିଲେ ।

                      ୩ ବର୍ଷ ସିନା ବସେଇକି ମଜୁରୀ ଦେଲେ, ଆଉ ୨୧ ବର୍ଷର ମଜୁରୀ, ବୋନସ୍‌, ସବେତନ ଛୁଟି, ମେଡିସିନ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଭତା ବାବଦ ବାକିଆ ପାଉଣା ଦେଇନାହାଁନ୍ତି । ସମୁଦାୟ ୫୦ କୋଟି ଟଙ୍କା କଲରଙ୍ଗୀ ଖଣିଶ୍ରମିକମାନେ ପାଇବାକୁ ଆଇନତ ହକ୍‌ଦାର । ଏହି ଟଙ୍କା ଓ ଖଣି ଖୋଲିବାକୁ କିଛି ତଥାକଥିତ ନେତା ବରମ୍ବାର ପ୍ରତିଶ୍ରୁତି ଦେଇ ଆସୁଛନ୍ତି । ଜଣେ ତଥାକଥିତ ଶ୍ରମିକନେତା ତାଙ୍କ ୟୁନିୟନ୍‌କୁ ଗଲେ ଖଣି ଖୋଲିଦେବେ ବୋଲି ମତେଇଲେ । ନିୟତିର ଗତି କି ବିଚିତ୍ର ! ଯାହାର ଷଡଯନ୍ତ୍ରରେ ଖଣି ବନ୍ଦ ହେଲା ସେ ପୁଣି ଖଣି ଖୋଲିଦେବ ବୋଲି କହିବୁଲୁଛି । ପାଖାପାଖି ୭୦୦ ଶ୍ରମିକଙ୍କ ମଧ୍ୟରୁ ୩୦ରୁ ୪୦ ଜଣ ଡିଆଁ ମାରିଲେ । ସେ ନେତା ଜଣକ ଏ ପର୍ଯ୍ୟନ୍ତ ଖଣି ଖୋଲିପାରୁନାହାଁନ୍ତି । ସୁକିନ୍ଦା ଉପତ୍ୟକାରେ ଯାହାକିଛି ଖଣି ଆଇନ୍‌, ଶ୍ରମ ଆଇନ୍ ଲାଗୁ ହୋଇଛି ତାହା ଦୁର୍ବାର ଆନ୍ଦୋଳନ ଯୋଗୁଁ । ଏବେ ଖଣି ମାଳିକ-ଠିକାଦାରମାନେ ସରକାରୀ ଆଇନ୍‌କୁ ଫାଙ୍କୁଛନ୍ତି । ଫଳରେ ଶ୍ରମିକମାନଙ୍କ ହକ୍ ପ୍ରାପ୍ୟରୁ କୋଟି କୋଟି ଟଙ୍କା ହଡପ୍ ହେଉଛି । ବହୁ ସଂଖ୍ୟାରେ ଶ୍ରମିକ ଏହି ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାଁନ୍ତି କି ସେମାନଙ୍କୁ ସମର୍ଥନ କରୁନାହାଁନ୍ତି । 

          ଶ୍ରୀ ନାୟକ କ୍ଷୋଭ ପ୍ରକାଶ କରି କହିଲେ ଯେ – ଆଇନ୍‌କାନୁନ୍ ହାରିଗୁହାରିରେ କାମ ଦେଉନି । ଏକମାତ୍ର ରାସ୍ତା ଘମାଘୋଟ ଲଢେଇ । କଲରଙ୍ଗୀ ଖଣିଶ୍ରମିକଙ୍କ ହାହାକାର କେବେ ବ୍ୟର୍ଥ ଯିବନି । ମୁଣ୍ଡରେ ହାତଦେଇ ନ ବସି ନିଜ ଅଧିକାର ଛିଣ୍ଡାଇ ଆଣିବାକୁ ହେବ । ଏହାହିଁ ଏକମାତ୍ର ରାସ୍ତା । ଏମିତି ତ ଅନେକ ଶ୍ରମିକଙ୍କର ମୃତ୍ୟୁ ହୋଇସାରିଲାଣି । ଆନ୍ଦୋଳନରେ ଯଦି ଜଣେ ଶ୍ରମିକର ମୃତ୍ୟୁ ହୁଏ – ସାରାଦେଶ କମ୍ପି ଉଠିବ – ପ୍ରତିବାଦର ସ୍ୱର ଧ୍ୱନିତ ହେବ । ତେଣୁ ଆଉ କାଳବିଳମ୍ବ ନକରି ନିଜ ଭୂଲ ଓ ପାପର ପ୍ରାୟଶ୍ଚିତ ପାଇଁ ଖଣିଶ୍ରମିକଙ୍କ ବାକିୟା ୫୦ କୋଟି ଟଙ୍କା ପଇଠ କରି ଅବିଳମ୍ବେ କଲରଙ୍ଗୀ କ୍ରୋମାଇଟ୍ ଖଣି ଖୋଲାଯାଇ ପୁରୁଣା ଶ୍ରମିକମାନଙ୍କୁ କାମ ଦିଆଯାଉ । ଏହି ନ୍ୟାର୍ଯ୍ୟ ଅଧିକାର ହାସଲ କରିବାପାଇଁ କଲରଙ୍ଗୀ ଖଣି ଶ୍ରମିକମାନେ ମୋର ବ୍ରାହ୍ମାସ୍ତ୍ର ନେଇ ରାଜଧାନୀରେ ଫିଙ୍ଗିବେ । ଓଡିଶାର ସମସ୍ତ ଖଣିଖାଦାନ, କଳକାରଖାନା, ଶ୍ରମିକକର୍ମଚାରୀ ଭାଇଭଉଣୀମାନଙ୍କୁ ତାଙ୍କର ବ୍ୟଥା, ବେଦନା ଜଣାଇବେ । ରାଜ୍ୟବାସୀଙ୍କ ପାଖରେ ଫେରାଦ ହେବେ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଖଣିମନ୍ତ୍ରୀଙ୍କ ପାଖରେ ହକ୍‌, ଅଧିକାର, ଗଣତାନ୍ତ୍ରିକ ଦାବୀ ଉପସ୍ଥାପନ କରିବେ । ‘କଲରଙ୍ଗୀ ଖଣି ଶ୍ରମିକଙ୍କ ହାହାକାର’ ପୁସ୍ତିକା ସାରା ରାଜ୍ୟରେ ସଂଗ୍ରାମୀ ପାଣ୍ଠି ପାଇଁ ବିକ୍ରି କରିବେ । ଏହା କଥାରେ କଥା ନୁହେଁ – ଦୃଢ ସଂକଳ୍ପ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close