
ଧାମନଗର ବିଧାନସଭା ଉପ-ନିର୍ବାଚନ: ଚମକିଲେ ସୂର୍ଯ୍ୟବଂଶୀ, ୯,୮୮୧ ଭୋଟରେ ହେଲେ ବିଜୟୀ
ଧାମନଗର, ୦୬/୧୧(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଦିବଗଂତ ବି.ଜେ.ପି ନେତା ବିଷ୍ଣୁଚରଣ ସେଠୀଙ୍କ ଅସୁସ୍ଥତା ଜନିତ ଦେହାନ୍ତ ପରେ ଭଦ୍ରଖ ଜିଲ୍ଲାର ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବାଜିଥିଲା ନିର୍ବାଚନ ବିଗୁଲ । ଆଉ କେଇଟା ମାସ ପାଇଁ ନିର୍ବାଚନ ହେବା ଏତେଟା ଜରୁରୀ ନ ଥିବା କଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଥିଲା । ଉପ-ନିର୍ବାଚନ ଘୋଷଣା ପରେ ନିର୍ବାଚନ ମଇଦାନକୁ ୦୩ ପ୍ରମୁଖ ବି.ଜେ.ଡି, ବି.ଜେ.ପି ଓ କଂଗ୍ରେସ ଦଳ ସହ ୦୨ ଜଣ ସ୍ୱାଧିନ ପ୍ରାର୍ଥୀ ମୋଟ ୦୫ ଜଣ ପ୍ରାର୍ଥୀ ଓହ୍ଲାଇଥିଲେ । ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ବି.ଜେ.ଡି, ବି.ଜେ.ପିର ପ୍ରାର୍ଥୀଙ୍କ ମଧ୍ୟରେ ହେଉଥିବା ବେଳେ ନିର୍ଣ୍ଣାୟକ ଭୂମିକାରେ ଥିଲେ ସ୍ୱାଧିନ ପ୍ରାର୍ଥୀ ତଥା ୨୦୧୯ରେ ବିଜେଡି ପ୍ରାର୍ଥୀ ହୋଇଥିବା ଏଥରର ସ୍ୱାଧିନ ପ୍ରାର୍ଥୀ ରାଜୁ ଦାସ । ପ୍ରତିଦ୍ୱନ୍ଦିତାରୁ ଓହରି ଯିବାକୁ ରାଜୁ ଦାସଙ୍କ ଉପରେ ପ୍ରବଳ ଚାପ ସତ୍ୱେ ସେ ପ୍ରତିଦ୍ୱନ୍ଦିତାରୁ ନ ଓହରି ବରଂ ବିଜେଡି ରାସ୍ତାରେ କଂଟା ସାଜିଥିଲେ । ନିର୍ବାଚନ ଯେତିକି ଯେତିକି ପାଖେଇ ପାଖେଇ ଆସିଲା ରାଜୁ ଦାସଙ୍କ ସମର୍ଥକ ଓ କ୍ୟାଡ଼ରମାନଙ୍କୁ ହାତେଇବାକୁ ବିଜେଡିର ତୁଙ୍ଗ ଓ ପ୍ରଭାବଶୀଳ ନେତାମାନେ ଲାଗି ପଡ଼ିଥିଲେ । ଫଳରେ ରାଜୁ ଦାସ ଏତେ ବଡ଼ ସଂଖ୍ୟାର ଭୋଟ ପାଇବେ ନାହିଁ ବୋଲି ଶେଷ ମୂହୂର୍ତରେ ଜଣାଗଲା । ସେ ନିଜେ ବରଂ ହାରିଯିବେ କିନ୍ତୁ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ହରାଇବା ପାଇଁ ପ୍ରାଣମୂର୍ଚ୍ଛା ଲାଗି ପଡ଼ିଥିଲେ । ରଣ ନୀତି ବଦଳିବାରେ ଲାଗିଲା । ମତଦାନର ଶେଷ ମୂହୂର୍ତରେ ରାଜୁ ଦାସଙ୍କ ବହୁ ଭୋଟ ବିଜେପି ପ୍ରାର୍ଥୀଙ୍କ ମୁଣିକୁ ଚାଳିଗଲା! ଶେଷ ମୂହୂର୍ତରେ ଅଧିକାଂଶ ଭୋଟର ଧରି ନେଲେ ଯେ, ଏଥର ଲଢ଼େଇ ମୁଖ୍ୟତଃ ବିଜେପି ଓ ବିଜେଡ଼ି ମଧ୍ୟରେ ହେଉଛି । ଉଭୟ ଦଳ ମଧ୍ୟ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ଆପ୍ରାଣ ଉଦ୍ୟମ ଚଳାଇଲେ । ଉଭୟ ଦଳର ବହୁ ତୁଙ୍ଗ ନେତା ଧାମନଗରରେ ଡ଼େରା ପକାଇ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ରାଜୁ ଦାସ କିନ୍ତୁ ଏକା ଏକା ନିଜ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଥିଲେ । କଂଗ୍ରେସ ଓ ଅନ୍ୟ ସ୍ୱାଧିନ ପ୍ରାର୍ଥୀଙ୍କ ଗୁରୁତ୍ୱ ମୂଳରୁ ଏତେଟା ନ ଥିଲା । ବିଜେଡିର ଅବନ୍ତୀ ଦାସ ଓ ବିଜେପିର ସୁରଜ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଦେଖାଦେଇଥିଲା । ଅବଶ୍ୟ ସୁରଜଙ୍କ ସପକ୍ଷରେ ତାଙ୍କ ପିତାଙ୍କ ପରଲୋକ ଜନିତ ସହାନୁଭୂତି ଅନ୍ତଃସ୍ୱରରେ ପ୍ରବଳ ମାତ୍ରାରେ ଥିଲା । ତେଣୁ ଜଣାଯାଉଥିଲା, ଭୋଟର ଯାହାର ଜୁଆଡୁ ଖାଇଲେ ବି ସୁରଜଙ୍କ ସପକ୍ଷରେ ବିଚାରଧାରା ରଖିବେ । ସୁରଜଙ୍କ ବ୍ୟବହାର ଉତମ ଥିଲା ଓ ସେ ଉଚ୍ଚ ଶିକ୍ଷିତ ମଧ୍ୟ ଥିଲେ । ତାଙ୍କର ସରଳତା ଭୋଟରଙ୍କୁ ମଧ୍ୟ ଯଥେଷ୍ଠ ଆକୃଷ୍ଟ କରିଥିଲା । ଶେଷ ଭାଗରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଇଟେଂଲିଜେନ୍ସ ମାଧ୍ୟମରେ ବିଜେଡି ପ୍ରାର୍ଥୀ ହାରିଯାଉଛନ୍ତି ବୋଲି ଖବର ପହଂଚିଥିଲା ଓ ସେଠାରୁ କୁଆଡ଼େ ରିମୋଟ ମଧ୍ୟ ଚଳାଯାଇଥିଲା । ଧାମନଗରରେ ବ୍ୟାପକ ଇଟେଂଲିଜେନ୍ସ ଖଞ୍ଜି ଥିଲେ ବି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁରଜ ହିଁ ଶେଷରେ ବାଜି ଜିତିଥିଲେ । କୈାଣସି ଗେମପ୍ଲାନ ଠାରୁ ସୁରଜଙ୍କ ପିତାଙ୍କ ବିୟୋଗଜନିତ ଅନୁକମ୍ପା ଓ ତାଙ୍କର ସରଳ ବ୍ୟବହାର ତାଙ୍କ ବିଜୟର ମାପକାଠି ସାଜିଥିଲା । ଯେଉଁଥି ପାଇଁ ଏତେ ବଡ ପ୍ରତିଦ୍ୱନ୍ଦିତା ସତ୍ୱେ ସେ ଚମକି ଉଠିଥିଲେ ।
ସୂଚନାଯୋଗ୍ୟ, ସୁରଜ ମୋଟ ୮୦,୩୫୧ ଖଣ୍ଡ ଭୋଟ ଅର୍ଥାତ୍ ୪୯.୦୮% ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ିର ଅବନ୍ତୀ ଦାସ ମୋଟ ୭୦, ୪୭୦ ଖଣ୍ଡ ଭୋଟ ଅର୍ଥାତ୍ ୪୩.୦୫ ପ୍ରତିଶତ ଭୋଟ ପାଇଥିବା ବେଳେ ଜାତୀୟ ସ୍ତରର କଂଗ୍ରେସ ପ୍ରାର୍ଥୀ ମାତ୍ର ୩,୫୩୩ ଖଣ୍ଡ ଭୋଟ ପାଇବାରେ ସକ୍ଷମ ହୋଇଥିଲେ ।