
ବିନା ପ୍ରତିଦ୍ୱନ୍ଦିତାରେ ଓସିଏ ନିର୍ବାଚନ; ପ୍ରଣବ ପ୍ରକାଶ ସଭାପତି, ସଂଜୟ ପୁଣି ସଂପାଦକ
କଟକ, ୨୨/୧୦ (ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓ.ସି.ଏ) ନିବାଚନର ଗତ କାଲି ଥିଲା ନାମାଙ୍କନ ପତ୍ର ଦାଖଲର ଦିନ । ହେଲେ ସବୁକଳ୍ପନା ଜଳ୍ପନାର ଅନ୍ତଃ ଘଟାଇ ବିନା ଲଢ଼େଇରେ ରାଜ୍ୟର ବିତଶୀଳ ୧୯୬୧ ମସିହାରୁ ପ୍ରତିଷ୍ଠିତ କ୍ରୀଡ଼ା ସଂଘ ଓ.ସି.ଏର ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀର ବିପକ୍ଷରେ ବିରୋଧି କୈାଣସି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ଅନାୟସରେ ରାଜ୍ୟ ବିଜେଡ଼ି ସଂଗଠନ ସଂପାଦକ ତଥା ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ ସଭାପତି ଭାବେ ଓ ସଂଜୟ ବେହେରା ପୁଣି ସଂପାଦକ ଭାବେ ଅପ୍ରତିଦ୍ୱନ୍ଦୀ ବିଜେତା ସାଜିଛନ୍ତି । ଓଡ଼ିଶାର ବିଶିଷ୍ଟ ଜନନେତା ୰ ଅଶୋକ ଦାସଙ୍କ ସୁପୁତ୍ର ପ୍ରଣବ ପ୍ରକାଶ (ବବି) ଓ ଆଶୀର୍ବାଦ ବେହେରାଙ୍କ ସୁପୁତ୍ର ସଂଜୟଙ୍କ ଏହି ସହଜସାଧ୍ୟ ବିଜୟ ରାଜ୍ୟ ବ୍ୟାପି କ୍ରୀଡ଼ା ପ୍ରେମୀଙ୍କ ମନରେ ଖୁସି ଓ ଉନ୍ମାଦନା ଭରି ଦେଇଥିବା ବେଳେ ଓ.ସି.ଏ ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ ଓ ପ୍ରଭାବଶୀଳ ହେବାର ଆଶାକୁ ଉଜ୍ଜୀବିତ କରିଛି । ସବୁଆଡ଼ୁ ଏହି ୦୨ ସଫଳ ନେତୃତ୍ୱ ପ୍ରତି ଶୁଭେଚ୍ଛାର ଛୁଅ ଛୁଟିଛି । ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ଉପ-ସଭାପତି ଭାବେ, ପ୍ରଭାତ କୁମାର ଭୋଳ ଯୁଗ୍ମ ସଂପାଦକ ଭାବେ, ବିକାଶ ଚନ୍ଦ୍ର ପ୍ରଧାନ କୋଷାଧ୍ୟକ୍ଷ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ଏ ସି (ଆପେକ୍ସ କାଉନସିଲ) ସଦସ୍ୟ ଭାବେ ନିର୍ବାଚିତ ହେବାର ନିଶ୍ଚିତ ହୋଇଥିବା ବେଳେ ଔପଚାରିକ ଦୃଷ୍ଟିରୁ କେବଳ ଘୋଷଣା ହିଁ ବାକି ରହିଛି । କେତେକ ନିନ୍ଦୁକ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ ଓ କମେଂଟରେ ଏକଦା ୰ ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ହେବିୱେଟ୍ ନେତା ଓସିଏ ନିର୍ବାଚନରେ ଧୂଳି ଚାଟିବା ଘଟଣାକୁ ଦୋହରାଇ ବବିଙ୍କ ଆଡ଼କୁ ପରୋକ୍ଷ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ପ୍ରସଙ୍ଗକୁ ବବି ଭୁଲ ପ୍ରମାଣିତ କରିଥିବା ବେଳେ ବରଂ ସେ ଯେଉଁଥିରେ ସଂପୃକ୍ତ ହେଉଛନ୍ତି ସେଥିରେ ସଫଳ ହେବା ସହ ତା’କୁ ସମୃଦ୍ଧ କରୁଥିବାର କଥାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି । ଓସିଏର ଗୁରୁତ୍ୱପୂର୍ଣ୍ଣ ୦୬ଟି ପଦରେ ଉପରୋକ୍ତ ୦୬ ଜଣ ଏକାକୀ ପ୍ରାର୍ଥୀପତ୍ର ଦାଖଲ କରି ସେମାନଙ୍କର ଦବ୍ଦବା ଜାହିର କରିଛନ୍ତି । ଫଳାଫଳ ଆସନ୍ତା ୨୮ ତାରିଖରେ ବିଧିବଦ୍ଧ ଭାବେ ଓ.ସି.ଏ ବାର୍ଷିକ ସାଧାରଣ ପରିଷଦ ବୈଠକରେ ପ୍ରକାଶ ପାଇ ନିର୍ବାଚିତ କର୍ମକର୍ତାଙ୍କ ନାମ ଘୋଷିତ ହେବ । ସୂଚନାଯୋଗ୍ୟ, ଗତ ୨୦୧୯ରେ ଓସିଏ ନିର୍ବାଚନ ହୋଇଥିଲା । ଆଗାମୀ ୦୩ ବର୍ଷ ପାଇଁ ଅର୍ଥାତ୍ ୨୦୨୫ ପର୍ଯ୍ୟନ୍ତ ନୂତନ କର୍ମକର୍ତାମାନେ କାର୍ଯ୍ୟ କରିବେ ।