ଧର୍ମଶାଳାକୁ ଭାଇଭାଗ କରାଯାଇ ମାଆ ମାଟିକୁ ଅପମାନିତ କରାଯାଇଛି-ସତୀଶ ବିଶ୍ୱାଳ
ଯାଜପୁର,୧୨/୧୦: ଧର୍ମଶାଳାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଗୌରବପୂର୍ଣ୍ଣ । ହେଲେ ଧର୍ମଶାଳାର କ୍ଷମତାକେନ୍ଦ୍ର ଧର୍ମଶାଳାର ଗଣତନ୍ତ୍ରକୁ ରାଜତନ୍ତ୍ରରେ ପରିଣତ କରିଛନ୍ତି । ଏଠାରେ ବିଜୁବାବୁ ଏବଂ ନବୀନବାବୁଙ୍କ ଜନପ୍ରୀୟତାର ଆଧାରରେ ବାପା ପରେ ପୁଅ ବିଧାୟକ ହୋଇଛନ୍ତି । ସେତିକିରେ ଶୋଷ ନମେଂଟିବାରୁ ପୁଣି ଧର୍ମଶାଳାର କ୍ଷମତା ରାଜନୀତିକୁ ଭାଇଭାଗ କରି ବଂଟାଯାଇ ଭାଇଙ୍କୁ ପଂଚାୟତ ସମିତି ଅଧ୍ୟକ୍ଷ କରାଯାଇଛି । ଧର୍ମଶାଳା ବାହାରର ଲୋକ ହୋଇ ଧର୍ମଶାଳାର ସମସ୍ତ କ୍ଷମତାକୁ ମାଡି ବସିବା କେବଳ ଧର୍ମଶାଳାର ସ୍ୱାଭିମାନକୁ ଆଘାତ ନୁହେଁ ବରଂ ଆମ ମାଆ ଓ ମାଟି ପ୍ରତି ଚରମ ଅପମାନ ବୋଲି ବିଷଦଗାର କରିଛନ୍ତି ଧର୍ମଶାଳାର ସଂଗ୍ରାମୀ ଯୁବନେତା ସତୀଶ ବିଶ୍ୱାଳ ।
ଧର୍ମଶାଳାର ଅଭୟପୁର ପଂଚାୟତର ଅଛୁତପୁରରେ ପଥପ୍ରାନ୍ତ ସଭାରେ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ କହିଛନ୍ତି ଯେ, ପ୍ରବାଦ ପୁରୁଷ ବିଜୁବାବୁ କେବେ ବି ବଂଶବାଦରେ ବିଶ୍ୱାସ କରୁ ନଥିଲେ । ହେଲେ ବିଜୁବାବୁଙ୍କ ପରଲୋକ ପରେ ଓଡିଶା ଲୋକେ ନବୀନବାବୁଙ୍କୁ ରାଜନୀତିକୁ ଆଣିଲେ । ନବୀନବାବୁ ନିଜର ଦକ୍ଷତା, ନିଷ୍ଠାପରତା ପାଇଁ ଦିନକୁ ଦିନ ଓଡିଶାରେ ଅଧିକ ଜନପ୍ରୀୟ ହୋଇ ପାରିଛନ୍ତି । ହେଲେ ଧର୍ମଶାଳାରେ ଦୀର୍ଘବର୍ଷ ଧରି ବିଜୁବାବୁ ଓ ନବୀନବାବୁଙ୍କ ଜନପ୍ରୀୟତା ବଳରେ କ୍ଷମତାରେ ଥିବା ନିର୍ଦ୍ଧିଷ୍ଟ ପରିବାର ଧର୍ମଶାଳାରେ ବଂଶବାଦର ଭ୍ରଷ୍ଟାଚାର ଚଲାଇଛନ୍ତି । ବିଜୁବାବୁ ଏବଂ ନବୀନବାବୁଙ୍କ କୌଣସି ନୀତି ଆଦର୍ଶ ଏଠାରେ କାର୍ଯ୍ୟକାରୀ ହେଉନାହିଁ । ଧର୍ମଶାଳାରେ ବହୁ ଦଃୁଖ କଷ୍ଟ ସହି ବିଜୁବାବୁ କ୍ଷମତାରେ ନଥିବା ସମୟରେ ଦଳକୁ ବଂଚାଇ ରଖିଥିବା ବିଜୁ ସମର୍ଥକମାନେ ଆଜି ପ୍ରତ୍ୟେକ ପଂଚାୟତରେ ଅବହେଳିତ । ସେମାନେ ସାମାନ୍ୟତମ ସ୍ୱାଭିମାନ ଟିକେ ମଧ୍ୟ ପାଉ ନାହାନ୍ତି । ଅପରନ୍ତୁ ସେ ସମୟରେ ଯେଉଁମାନେ ବିଜୁବାବୁଙ୍କ ସମର୍ଥକଙ୍କ ଘରେ ପଶି ମାଡ ମାରୁଥିଲେ, ସେମାନଙ୍କୁ ଥାନାରେ ପୁରାଇ ଅତ୍ୟାଚାର କରୁଥିଲେ , ସେମାନେ ଏବେ ଧର୍ମଶାଳା ବି.ଜେ.ଡି ରେ ମୁଖିଆ ସାଜି ସମସ୍ତ ପ୍ରକାର ଲାଭ ଉଠାଉଛନ୍ତି । ଏପରିକି ଓଡିଶା ରାଜନୀତିକୁ ନବୀନବାବୁ ଆସିବା ପରେ ରାଜ୍ୟରେ କଂଗ୍ରେସ ଶାସନ ସମୟରେ ଅତ୍ୟାଚାରର ଶୀକାର ହୋଇଥିବା ବି.ଜେ.ଡି କର୍ମୀମାନେ ଅବହେଳିତ । ବିଜୁ ଜନତା ଦଳ ଏବଂ ତତ୍କାଳୀନ ଜନତା ଦଳ ପାଇଁ ବହୁ ତ୍ୟାଗ ସହିଥିବା ବରିଷ୍ଠ ବି.ଜେ.ଡି ସଂଗଠକ ମାନଙ୍କ ମଧ୍ୟରୁ ଜଣକୁ ବି ପଂଚାୟତ ସମିତି ଅଧ୍ୟକ୍ଷ କରାଗଲା ନାହିଁ । ଏହି ବରିଷ୍ଠ ସଂଗଠକ ମାନଙ୍କ ଦୟନୀୟ ସ୍ଥିତି ଅତ୍ୟନ୍ତ ଦଃୁଖଦାୟକ । ଧର୍ମଶାଳା ମାଆର ଦୁଧ ପିଇ ଜଣେ କେହି ଜନ୍ମ ହୋଇ ନାହାନ୍ତି ଯେ, ଧର୍ମଶାଳାରୁ ବିଧାୟକ କିମ୍ବା ଚେୟାରମ୍ୟାନ ହୋଇପାରିବା ଭଳି ପ୍ରଶ୍ନ ଏବେ ସମଗ୍ର ଧର୍ମଶାଳାର ଜନମନକୁ ଆନ୍ଦୋଳିତ କରିଛି । ଉଭୟ ବିଜୁବାବୁ ଏବଂ ନବୀନବାବୁ ମାଆ ମାଟିର ସ୍ୱାର୍ଥରକ୍ଷା ପାଇଁ ଲଡେଇ କରିବାକୁ ଅହ୍ୱାନ ଦେଇଥିବାରୁ ଏବେ ଧର୍ମଶାଳା ମାଆ ମାଟିର ସ୍ୱାଭିମାନ ରକ୍ଷା ପାଇଁ ଲଢେଇକୁ ନାହିଁ ନଥିବା ସମର୍ଥନ ମିଳୁଛି ବୋଲି ସତୀଶ ପ୍ରକାଶ କରିଥିଲେ । ଏଥିରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ ।