
ଗଣମାଧ୍ୟମକୁ ଆକ୍ଷେପ ଓ ଅଶାଳୀନ ମନ୍ତବ୍ୟର ପ୍ରତିବାଦ; ଗିରଫ ଦାବି
ବ୍ୟାସନଗର,୧୮।୯(ଉ.ନ୍ୟୁଜ୍ ବ୍ୟୁରୋ): ଗତ ଗୁରୁବାର ଜଣେ ମହିଳାଙ୍କୁ ଅସଦାଚରଣ ଏବଂ ଠକେଇ ମାମଲାରେ ଯାଜପୁରରୋଡ଼ ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା। ଏଥିରେ ପ୍ରତିହିଂସା ପରାୟଣ ହୋଇ ତଥାକଥିତ ସମାଜସେବୀ ଶାସ୍ତ୍ରୀ ବାହାଦୁର ପ୍ରଧାନ ସାମାଜିକ ଗଣମାଧ୍ୟମରେ ସାମ୍ବାଦିକମାନଙ୍କୁ ଆକ୍ଷେପ ଓ ଅଶାଳୀନ ଶବ୍ଦ ବ୍ୟବହାର କରି ଏକ ପୋଷ୍ଟିଂ କରିଥିଲେ । ଯେଉଁଥିରେ ସାମ୍ବାଦିକମାନଙ୍କର ସମ୍ମାନ ଓ ମର୍ଯ୍ୟାଦା ହାନି ହୋଇଥିଲା। ଗତ ଶୁକ୍ରବାର ବ୍ୟାସନଗର ସାମ୍ବାଦିକ ସମୂହ ଯାଜପୁରରୋଡ଼ ଥାନାରେ ଏତଲା ଦେବା ସହିତ ସେମାନଙ୍କ ସମ୍ମାନ ହାନି ମନ୍ତବ୍ୟ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କର ଗିରଫ ଦାବି କରିଥିଲେ । ସାମ୍ବାଦିକମାନଙ୍କ ଏତାଲା ଗ୍ରହଣ କରି ଯାଜପୁରରୋଡ଼ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଏକ ମାମଲା ରୁଜୁ କରିବା ସହିତ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସଂପୃକ୍ତ ବ୍ୟକ୍ତି ଫେରାର ଥିବାବେଳେ ତାଙ୍କୁ ଗିରଫ ପାଇଁ ପୁଲିସ ୨ ଗୋଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଥିଲେ । ଏତଲା ଦେବାର ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ଆଜି ପୁଣି ଏହି ଅଂଚଳର ପ୍ରିଣ୍ଟ, ଇଲେକ୍ଟ୍ରୋନିକ, ଓ୍ବେବ୍ ମିଡିଆର ସମସ୍ତ ପ୍ରତିନିଧି ପ୍ରମୁଖ ଥାନାରେ ପହଂଚି ଗିରଫ ଦାବିକୁ ଦୋହରାଇଥିଲେ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଦୃଢ ପ୍ରତିଶୃତି ଦେବା ସହିତ ଏଥିପାଇଁ ଚାରୋଟି ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛିବୋଲି ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରାନଗଲେ ଥାନା ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିମାନେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

Live Share Market