ଇଏସଆଇସିର ଆଂଚଳିକ ନିର୍ଦ୍ଦେଶକ ପି.ଏସ.ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମରେ ସାକାର ହେଲା କଳିଙ୍ଗନଗରରେ ୧୦୦ ବେଡ୍ ବିଶିଷ୍ଟ ଇଏସଆଇ ମେଡିକାଲ

 

 

ଭୁବନେଶ୍ୱର, ୨୫/୦୮(ଉ.ନ୍ୟୁଜ୍ ବ୍ୟୁରୋ): ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅର୍ନ୍ତଗତ ଓଡ଼ିଶା କ୍ଷେତ୍ରୀୟ ଇ.ଏସ.ଆଇ.ସି (ରାଜ୍ୟ କର୍ମଚାରୀ ବୀମା)ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପାର୍ଥ ସାରଥି ପଣ୍ଡାଙ୍କ ନିରନ୍ତର ଓ ବଳିଷ୍ଠ ଉଦ୍ୟମ ଫଳରେ ବହୁ ପ୍ରତୀକ୍ଷିତ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳରେ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ୧୦୦ ଶଯ୍ୟା ବିଶିଷ୍ଟ ଇ.ଏସ.ଆଇ ମେଡିକାଲ । ଆଜି ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା ଯାଜପୁର ଗ୍ରସ୍ତ କରି ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋରଙ୍କ ସହ ଆଲୋଚନା କରି ମେଡିକାଲ ସ୍ଥାପନର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦାନଗଦି ତହସିଲ ଅର୍ନ୍ତଗତ ମାଣତିରା ଠାରେ ମେଡିକାଲ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ୦୫ ଏକର ଜମି ୧ମ ଦଫାରେ ଯୋଗାଇ ଦେଇଛନ୍ତି । ଖୋଦ୍ ଇ.ଏସ.ଆଇର ରିଜିଓନାଲ ଡ଼ାଇରେକ୍ଟର ଶ୍ରୀଯୁକ୍ତ ପଣ୍ଡା ତତ୍ପରତା ଦେଖାଇ ଯାଜପୁରରେ ଯଥାଶୀଘ୍ର ମେଡିକାଲ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରୀ ରଖିଥିଲେ । ଆଜି ଯାଜପୁର ଜିଲ୍ଲା ପ୍ରଶାସନ ଆବଶ୍ୟକୀୟ ଜମି ଯୋଗାଇ ଦେଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ତୁରନ୍ତ ମେଡିକାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀଯୁକ୍ତ ପଣ୍ଡା ସି.ପି.ଡବ୍ଲ୍ୟୁ.ଡି(ସେଂଟ୍ରାଲ ପବ୍ଲିକ ୱାର୍କ୍ସ ଡିପାର୍ଟମେଂଟ)କୁ ଯଥାଶୀଘ୍ର ସ୍କେଜ୍ କରିବାକୁ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଛନ୍ତି । ଗତ ୧୫ ଦିନ ତଳେ (ତା. ୧୦/୦୮/୨୦୨୨)ରେ ତାଙ୍କ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ “ଉଦୟବଟ” ଏବଂ “ଉଦୟବଟ ଇ-ନ୍ୟୁଜ୍‌”ର ସଂପାଦକ, ରାଜ୍ୟ ସ୍ତରୀୟ ସମାଜସେବୀ, ଶ୍ରମିକ ନେତା ତଥା ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଶ୍ରୀଯୁକ୍ତ ପଣ୍ଡାଙ୍କୁ ସାକ୍ଷାତ କରି ରାଜ୍ୟରେ ଇ.ଏସ.ଆଇର ପରିସ୍ଥିତି ଓ ଉପଭୋକ୍ତାମାନଙ୍କ କେତେକ ସମସ୍ୟା ଉପରେ ଅବଗତ କରିଥିଲେ । ଏଥିସହିତ ଯାଜପୁର ଜିଲ୍ଲାରେ ଓ କଳିଙ୍ଗନଗର ଶିଳ୍ପାଂଚଳରେ ଇ.ଏସ.ଆଇର ଭିତିଭୂମି ସୁଦୃଢ଼ କରିବା ସହ ତୁରନ୍ତ ମେଡିକାଲ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ଶ୍ରୀଯୁକ୍ତ ପଣ୍ଡା ସହୃଦୟତାର ସହ ଶ୍ରୀ ରାଉତଙ୍କ ଅନୁରୋଧ ଉପରେ ଧ୍ୟାନ ଦେବେ ବୋଲି କହି ଖୁବ୍ ଶୀଘ୍ର ଯାଜପୁର ଗ୍ରସ୍ତ କରିବେ ବୋଲି ମଧ୍ୟ କହିଥିଲେ । ଆଜି ଯାଜପୁର ଗ୍ରସ୍ତ କରି ବହୁ ପ୍ରତିକ୍ଷୀତ କଳିଙ୍ଗନଗରର ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ପ୍ରତିଷ୍ଠାକୁ ଚୂଡାନ୍ତ କରିଥିବାରୁ ଶ୍ରମିକ ନେତା ଶ୍ରୀ ରାଉତ ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡାକୁ ଫୋନ ଯୋଗେ ସାଧୂବାଦ ଜଣାଇବା ସହ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । କଳିଙ୍ଗନଗରରେ ମେଡିକାଲ ପ୍ରତିଷ୍ଠା ପାଇଁ ବିଭିନ୍ନ ଗଣମାଧ୍ୟମରେ ଦାବୀ ପ୍ରକାଶ ପାଇଆସୁଥିଲା । ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଶ୍ରୀ ରାଉତ କୃତଜ୍ଞତା ଜଣାଇଛନ୍ତି । ବିଶେଷକରି ‘ଧରିତ୍ରୀ’ରେ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ହର୍ଷବର୍ଦ୍ଧନ ବେହେରାଙ୍କ ଉଦ୍ୟମରେ ବହୁ ଗଠନମୂଳକ ଲେଖା ଏହା ଉପରେ ପ୍ରକାଶ ପାଇଥିବାରୁ ଶ୍ରୀ ରାଉତ ଶ୍ରୀଯୁକ୍ତ ବେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ‘ସମାଜ’, ‘ସୂର୍ଯ୍ୟପ୍ରଭା’, ଜାତୀୟ ସ୍ତରର ଇଂରାଜୀ ଦୈନିକ ‘ଦି ପାଓନିୟର’ ଆଦିରେ ଏହା ଉପରେ ଲେଖା ମଧ୍ୟ ପ୍ରକାଶିତ ହୋଇଥିଲା । ଏଥିସହ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ ଜନନେତା ଓ ଶ୍ରମିକ ନେତା ଡ଼ଃ. ପ୍ରଫୁଲ ଚନ୍ଦ୍ର ଘଡ଼ାଇ ମଧ୍ୟ ଏହି ମେଡିକାଲ ପ୍ରତିଷ୍ଟା ପାଇଁ ଦାବୀ କରିଆସୁଥିଲେ । ଏହି ମେଡିକାଲ ପ୍ରତିଷ୍ଠା ଫଳରେ ବୀମାଧାରୀ (ଆଇ.ପି)ମାନଙ୍କ ସ୍ୱାସ୍ଥ୍ୟଗତ ବହୁ ସମସ୍ୟା ଏଠାରେ ସମାଧିତ ହୋଇପାରିବ ଓ ଦୂର ମେଡିକାଲକୁ ଆଉ ସେପରି ଯିବାକୁ ପଡିବ ନାହିଁ । ଜିଲ୍ଲାରେ ଶିଳ୍ପ ଓ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶରେ ଏହା ସହାୟକ ମଧ୍ୟ ହେବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମି ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ପଣ୍ଡାଙ୍କ ଏହି ଗ୍ରସ୍ତ ସମୟରେ ତାଙ୍କ ସହ ଓଡ଼ିଶା ସରକାରଙ୍କ ଡ଼ାଇରେକ୍ଟର ଇନସ୍ୟୁରାନ୍ସ ମେଡିକାଲ ସର୍ଭିସେସ୍‌, ଜ୍ୟୋତିରଂଜନ ପ୍ରଧାନ ମଧ୍ୟ ଯାଜପୁର ଆସିଥିଲେ ।
ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ପଣ୍ଡା ଜାତୀୟ ସ୍ତରରେ ଇ.ଏସ.ଆଇ.ସିର ଜଣେ ଦକ୍ଷ ତଥା କର୍ମଚଂଚଳ ବରିଷ୍ଠ ଅଧିକାରୀ ଓ ନିର୍ଦ୍ଦେଶକ ଭାବେ ସୁପରିଚିତ । ସେ ଭୁବନେଶ୍ୱରରେ ଆଂଚଳିକ ନିର୍ଦ୍ଦେଶକ ଦାୟିତ୍ୱ ନେବା ପରେ ଇ.ଏସ.ଆଇକୁ ଅଧିକ ଲୋକାଭିମୁଖି କରିବା ଲକ୍ଷ୍ୟରେ ଲାଗି ପଡ଼ିଛନ୍ତି । ଯାଜପୁରର କଳିଙ୍ଗନଗର ପରେ ଖୁବ୍ ଶୀଘ୍ର ଜଗତ୍‌ସିଂହପୁରର ଭୂତମୁଣ୍ଡାଇ ଠାରେ ମେଡିକାଲ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପାଇଁ ସେ ଯୋଜନା ଚୂଡାନ୍ତ କରିଥିବାର ଜଣାଯାଇଛି । ଏହାପରେ ଝାରସୁଗୁଡାରେ ଡିଭିଜନ ଅଫିସ ପ୍ରତିଷ୍ଠା ସହ ଝାରସୁଗୁଡାରେ ମେଡିକାଲ ପ୍ରତିଷ୍ଠା ପାଇଁ ପଥ ପରିଷ୍କାର କରିଛନ୍ତି । ଏହାପରେ ବ୍ରହ୍ମପୁର ଓ ବାଲେଶ୍ୱରରେ ମେଡିକାଲ ପ୍ରତିଷ୍ଠା ପାଇଁ ମଧ୍ୟ ଉଦ୍ୟମ ଜାରୀ ରହିଛି । ସେ ଭୁବନେଶ୍ୱର ମେଡିକାଲର ନବକଳେବର ବୃଦ୍ଧିପାଇଁ ନକ୍‌ସାକୁ ବି ପ୍ରସ୍ତୁତ କରିଛନ୍ତି । ରାଉଲକେଲା ଇଏସଆଇ ମେଡିକାଲର ସମ୍ପ୍ରସାରଣ କରାଯାଇ ଆଉ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି ।
ଏସମସ୍ତ ଯୋଜନାର ପ୍ରସ୍ତାବଗୁଡିକୁ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ର ସରକାରଙ୍କ ନିକଟରେ ପହଚାଂଇ ସଫଳ ହୋଇଥିବାର ଜଣାଯାଇଛି । ଏପରିକି ଶ୍ରୀଯୁକ୍ତ ପଣ୍ଡା କୈାଣସି ଆଇ.ପିଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ନିଜେ ତାଙ୍କ ଘରକୁ ଗ୍ରସ୍ତ ମଧ୍ୟ କରୁଥିବାର ଦେଖାଯାଉଛି । ଏପରି ବହୁ ଉପଯୋଗୀ ତଥା ସୁଦୂରଦର୍ଶୀ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close