
ଆଇ.ଏଲ.ଏସର ନିର୍ଦ୍ଦେଶକ ପଦ୍ମଶ୍ରୀ ଡ଼ଃ. ଅଜୟ କୁମାର ପରିଡ଼ାଙ୍କ ଗୈାହାଟୀରେ ହୃଦ୍ଘାତରେ ପରଲୋକ
ଧର୍ମଶାଳା/ବ୍ୟାସନଗର, ୧୯/୦୭(ଉ.ନ୍ୟୁଜ୍ ବ୍ୟୁରୋ): ଆର ପାରିରେ ଭୁବନେଶ୍ୱର ସ୍ଥିତ ଆଇ.ଏଲ.ଏସ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ)ର ନିର୍ଦ୍ଦେଶକ ଡ଼ଃ. ଅଜୟ କୁମାର ପରିଡ଼ା । ଏହି ଦଃୁଖଦ ଖବର ଆଜି ସକାଳୁ ସକାଳୁ ସବୁଠି ଶୋକର ଛାୟା ଖେଳାଇ ଦେଇଛି । ସେ ଖାଲି ଆଇ.ଏଲ.ଏସର ନିର୍ଦ୍ଦେଶକ ନ ଥିଲେ; ବରଂ ସର୍ବଭାରତୀୟ ସ୍ତରର ଜଣେ ସଫଳ ତଥା ଦକ୍ଷ ଉଦ୍ଭିଦ ବିଜ୍ଞାନୀ, ପ୍ରଖାତ ଜିନ୍ ଗବେଷକ, କୃଷି ବୈଜ୍ଞାନିକ ଭାବରେ ନିଜର ସୁନାମ ଅର୍ଜ୍ଜନ କରିଥିଲେ । ସେ ନିଜର ଦକ୍ଷତା ପାଇଁ ୨୦୧୪ରେ ଭାରତର ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପାଇଥିଲେ । ଅତ୍ୟାଧୂନିକ ଜିନ୍ (ଜୈବ ଗୁଣସୂତ୍ର) ଗବେଷଣା କ୍ଷେତ୍ରରେ ସେ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇ.ଏଲ.ଏସ)କୁ ଦେଶର ପ୍ରମୁଖ ୧୦ଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ଦେବାରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ । ‘କରୋନା’ ସମୟରେ ତାଙ୍କର ତଥ୍ୟ ବହୁ ଉପାଦେୟ ସାବ୍ୟସ୍ତ ହୋଇଆସୁଥିଲା । ଭୁବନେଶ୍ୱର ପୂର୍ବରୁ ସେ ୨୦୦୯ ରୁ ୨୦୧୭ ପର୍ଯ୍ୟନ୍ତ ଚେନ୍ନାଇ ସ୍ଥିତ ଏମ. ଏସ ସ୍ୱାମିନାଥନ୍ ଗବେଷଣା ଫାଉଣ୍ଡେସନ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ । ଆସାମର ରାଜଧାନୀ ଗୈାହାଟୀରେ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଗୈାହାଟୀ ଯାଇଥିଲେ । ଗତ କାଲି ରାତ୍ରୀରେ ସେ ଶୋଇବାକୁ ଯାଇଥିଲେ । ହେଲେ ଆଜି ସକାଳୁ ସେ ନ ଉଠିବାରୁ ତାଙ୍କ କର୍ମଚାରୀ ଦେଖିବା ବେଳକୁ ସେ ହୃଦ୍ଘାତରେ ପରଲୋକଗମନ କରିଯାଇଥିଲେ । ଖବର ପାଇ ତାଙ୍କ ଭଉଣୀ, ସହଧର୍ମିଣୀ ରଶ୍ମି ମହାପାତ୍ର ପ୍ରମୁଖ ଗୈାହାଟୀ ଯାତ୍ରା କରିଥିବାର ଜଣାଯାଇଛି । ଡ଼ଃ. ପରିଡାଙ୍କ ଏକମାତ୍ର ପୁତ୍ର ଆଶୁତୋଷ ପରିଡ଼ା ନୂଆଦିଲ୍ଲୀରେ କାର୍ଯ୍ୟରତ ଅଛନ୍ତି । ସେ ମଧ୍ୟ ଗୈାହାଟୀ ଆସୁଛନ୍ତି । ପରିବାର ଲୋକେ ଗୈାହାଟୀ ପହଚିଂବା ପରେ ତାଙ୍କର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି । ଡ଼ଃ. ପରିଡ଼ାଙ୍କ ଜନ୍ମ ସ୍ଥାନ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ପଂଚାୟତର ଭଗବାନପୁର ଗ୍ରାମରେ । ସେ ୧୨/୧୨/୧୯୬୩ରେ ଭଗବାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ୰ ଦିବାକର ପରିଡ଼ା ଜଣେ ପ୍ରଧାନ ଶିକ୍ଷକ ଥିଲେ । ସେ ୦୨ ଭାଇ ଓ ୦୩ ଭଉଣୀ ।
ଡ଼ଃ. ପରିଡାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । ବିଶିଷ୍ଟ ଶ୍ରମିକ ନେତା ତଥା ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ରାୟ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଶ୍ରମିକ ନେତା ଅରୁଣ ଦାସ, ସମାଜସେବୀ କୈଳାସ ଚନ୍ଦ୍ର ସ୍ୱାଇଁ, ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ନାରୀ ନେତ୍ରୀ କମଲୀନି ସାମଲ, ବିଦ୍ୟୁତ୍ପ୍ରଭା ରାୟ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଂଜନ ରାଉତ, ପ୍ରଫୁଲ୍ଳ ବାରିକ, ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ, ଗୈାରୀଶଙ୍କର ପତି, ସୁମନ ରାୟ, ରଥକୁମାର ଦାସ, ରାଜକିଶୋର ମଲ୍ଲିକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସଂଗେ ସଂଗେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ‘ଉଦୟବଟ’ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନରେ ସଂପାଦକ ଶ୍ରୀ ରାଉତଙ୍କ ଆବାହକତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।