
‘ଉଦୟବଟ’ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ
ବ୍ୟାସନଗର, ୧୧/୦୬(ଉ. ନ୍ୟୁଜ୍ ବ୍ୟୁରୋ): ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ଏବଂ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍’ ତରଫରୁ ‘ବିଶ୍ୱ ପରିବେଶ ଦିବସ’ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ’ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ‘ଉଦୟବଟ’ର ବରିଷ୍ଠ ସହଯୋଗୀ ସଂପାଦକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ କରିବା ସହ ବଚିଂଥିବା ବୃକ୍ଷରାଜିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ପରାମର୍ଶ ଦେଇଥିଲେ । ଖାଲି ଅନୁଷ୍ଠାନ ବା ସରକାରୀ ସ୍ତରରେ ନୁହେଁ ବରଂ ସମସ୍ତ ଜନସାଧାରଣ ସବୁଜିମା ସୃଷ୍ଟି ପାଇଁ ଉଦ୍ୟମ କରିବା ଉଚିତ ବୋଲି କହିଥିଲେ । ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୟାଧର ଭଦ୍ର, ଯାଜପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ସେନାର ସଭାପତି ବସନ୍ତ କୁମାର ପାତ୍ର, ସମାଜସେବୀ ହରଦୟାଲ ସିଂହ, ଚକ୍ରଧର ମଲ୍ଲିକ, ନାରୀନେତ୍ରୀ ବିଦ୍ୟୁତ୍ପ୍ରଭା ରାୟ, ପରିବେଶପ୍ରେମୀ ତଥା ସମାଜସେବୀ ରାମଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ପ୍ରକୃତି ମାତାର ସୁରକ୍ଷା ପାଇଁ କହିଥିଲେ । ଏହି ପରିବେଶ ସଚେତନା କାର୍ଯ୍ୟକ୍ରମରେ ଯୁବ ଆଇନଜୀବୀ ତଥା ବିଜେପି ନେତା ଦୀପକ ସେନଗୁପ୍ତା, ଗୈାରୀଶଙ୍କର ପତି, ପ୍ରଫୁଲ୍ଲ ବାରିକ, ଅଭିଷେକ ମଲ୍ଲ, ଭାରତ ଭୂଷଣ ରାଉତ, ବାବୁଲି ବେହେରା ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣକୁ ବ୍ୟାପକ କରିବାକୁ ସରକାର ଯୋଜନା କରିବା ଉଚିତ ବୋଲି ମତପୋଷଣ କରିଥିଲେ । ବୃକ୍ଷ ଏକାଧାରାରେ ପରିବେଶ ସନ୍ତୁଳନରେ, ଖାଦ୍ୟ ଯୋଗାଇବାରେ, ଔଷଧ ତିଆରିରେ, ଗୋପାଳନ ପାଇଁ, ମୂଲ୍ୟବାନ କାଠ ଉତ୍ପାଦନ କରି ଅର୍ଥ ଉପାର୍ଜ୍ଜନରେ, ତାପମାତ୍ରାକୁ ସନ୍ତୁଳନ କରିବା ଆଦି ବହୁ କାର୍ଯ୍ୟରେ ସହାୟକ ହୋଇ ଚାଲିଛି । ଚାରିଆଡେ କଂକ୍ରିଟକରଣ ହେଉଥିବାରୁ, କଳ କାରଖାନାର ଧୂଳି ଧୂଆଁ, ଗାଡି ଘୋଡାର ବହୁଳ ବ୍ୟବହାର ଯୋଗୁ ଆଜି ବିଶ୍ୱର ତାପମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇ ଚାଲିଥିବା ବେଳେ କରୋନା ସମୟରେ ପରିବେଶର ସନ୍ତୁଳନ ଉପରେ ସମସ୍ତେ ଧ୍ୟାନ ଦେବା ଉଚିତ୍ । ସମସ୍ତେ ପ୍ରକୃତିକୁ ଭଲ ପାଇବା ସହ ଆନ୍ତରିକତାର ସହ ଏହାର ସୁରକ୍ଷା ପାଇଁ ଯତ୍ନଶୀଳ ଉଦ୍ୟମ ନ କଲେ ମନୁଷ୍ୟ ସମାଜ ପାଇଁ ପ୍ରକୃତି ଦାରୁଣ ହୋଇପାରେ ବୋଲି ମତପ୍ରକାଶ ପାଇଥିଲା । ‘ଉଦୟବଟ’ ତରଫରୁ ବୃକ୍ଷରୋପଣ ପୂର୍ବପରି ଜାରୀ ରହିବ ବୋଲି ବରିଷ୍ଠ ସହଯୋଗୀ ସଂପାଦକ ଡ଼ଃ. ପଣ୍ଡା କହିଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ସାନ ବାପା (ଦାଦା) ହରିହର ରାଉତଙ୍କ ବିୟୋଗ ଯୋଗୁ ଶ୍ରୀ ରାଉତ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିିତ ଥିଲେ । ଶେଷରେ ଶ୍ରମିକ ନେତା ଅରୁଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।